ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ

ଖୋର୍ଦ୍ଧା: ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । ସୂଚନା ମୁତାବକ,ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି । ବାଲୁଗାଁ ଥାନାରେ ଏପ୍ରିଲ ୧୯ରେ ଏକ ଏଫଆଇଆର ପଞ୍ଜୀକୃତ ହେବା ପରେ ଏହି ଗିରଫଦାରୀ କରାଯାଇଛି ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଚାକିରୀ ଆଶାୟୀଙ୍କଠାରୁ ନୌସେନାରେ ସ୍ଥାନ ନିଶ୍ଚିତ କରିବାର ମିଛ ଆଶ୍ୱାସନ ଦେଇ ବହୁ ଟଙ୍କା ସଂଗ୍ରହ କରୁଥିଲେ । ଏହି ଠକେଇର ବ୍ୟାପକତା ଏବଂ ଆଉ କେତେ ବ୍ୟକ୍ତି ଏଥିରେ ଜଡ଼ିତ ଅଛନ୍ତି ତାହାର ତଦନ୍ତ ପୋଲିସ କରୁଛି । ନଭେମ୍ବର ୨୦୨୪ରେ ଅନୁଷ୍ଠିତ ପରୀକ୍ଷାରେ ଅଗ୍ନିବୀର ଆଶାୟୀଙ୍କଠାରୁ ପୋଲିସ ଯାଞ୍ଚ, ଶାରୀରିକ ପରୀକ୍ଷା ଏବଂ ଚାକିରୀ ନିଶ୍ଚିତ କରିବାର ପ୍ରତିଶ୍ରୁତି ଦେଇ ସେମାନେ ବିପୁଳ ପରିମାଣର ଟଙ୍କା ହଡ଼ପ କରିଥବା ଖୋର୍ଦ୍ଧା ଏସପି ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି ।