(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ପରଲୋକ । ଗତକାଲି ସଂନ୍ଧ୍ୟାରେ ବସନ୍ତ ଦାସଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସାରା କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବିଜୁ ଜନତା ଦଳରୁ ରାଜ୍ୟ ସଭା ସାଂସଦ ହେବାର ସୁଯୋଗ ପାଇଥିଲେ । ସେ ୧୯୯୦ ରୁ ୧୯୯୬ ପର୍ଯ୍ୟନ୍ତ ଜନତା ଦଳର ପାର୍ଥୀ ଭାବେ ରାଜ୍ୟ ସଭା ସଦସ୍ୟ ଥିଲେ । ଏହା ପୂର୍ବରୁ ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ଭବାନୀପାଟଣା ମ୍ୟୁନସିପାଲଟିର ଚେୟାରମ୍ୟାାନ ଭାବେ ଥିଲେ । ସ୍ୱର୍ଗତ ଦାସଙ୍କ ବଡପୁଅ ଦିଲ୍ଲୀରେ ରହୁଥିବା ବେଳେ ମୃତ୍ୟୁ ଖବର ପାଇବା ପରେ କଟକଣା କାରଣରୁ ଆସିପାରି ନାହାଁନ୍ତି । ତାଙ୍କର ମଝିଆ ପୁଅ ରାୟଗଡାରେ ରହୁଥିବା ବେଳେ ପିତାଙ୍କ ମୃତ୍ୟୁ ଖବର ପାଇଁ ଆସିବା ପରେ ଅନ୍ତିମ ସଂସ୍କାର ଶେଷ ହୋଇଥିଲା । ଏହା ସହ ମୃତ୍ୟୁ ଖବର ପାଇ ବିରୋଧୀ ଦଳର ନେତା ପ୍ରଦୀପ ନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଦାସ, ଜଗନ୍ନାଥ ପଟ୍ଟନାୟକ, ରାସ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।