ସୋନପୁର ଗ୍ରାମରେ ବନ ବିଭାଗର  ଚଢାଉ , ପ୍ରାୟ ୪ ପିକପ କାଠ ଜବତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର (ଡିଏନକେ) ଗ୍ରାମରେ ବାରମ୍ବାର ବେଆଇନ କାଠ କାମ ଚାଲିଥିବା ଅଭିଯୋଗ ହୋଇଥିଲା । ଫଳରେ  ଓଡିଶା  ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଚଢାଉରେ ଉକ୍ତ ଗ୍ରାମର ୧୩ ଗୋଟି ଘରରୁ ପ୍ରାୟ ୪ ପିକପ ଶାଗୁଆନ କାଠର ଅର୍ଦ୍ଧ ନିର୍ମିତ ଆସବାବ ଜିନିଷ ସହିତ କାଠ ଗଣ୍ଡି ଓ ପଟ୍ଟା ଜବତ ହୋଇଛି । ତେବେ ଏହିି ଚଢାଉରେ କାହାରିକୁ ଗିରଫ କରାଯାଇ ନଥିବା ବନ ବିଭାଗ ପ୍ରକାଶ କରିଛି l

ସୂଚନା ଅନୁଯାଇ ସୋନପୁର ଡିଏନକେ ଗ୍ରାମରେ ଛତିଶଗଡ଼ ଅଂଚଳରୁ କାଠ ଚାଲାଣ ହେଉଥିବା ଯୋଗୁଁ ସେଠାକାର ବନ ବିଭାଗର ଆବେଦନ ପରେ ଓଡିଶା ବନ ବିଭାଗ ସକ୍ରିୟ ହୋଇପଡିଛି l  ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଏସିଏଫଓ ମନସୁନ୍ ଖେମୁଣ୍ଡୁଙ୍କ ନେତୃତ୍ବରେ ରାଇଘର , ଝରିଗାଁ ,ଡାବୁଗାଁ ଓ ନବରଙ୍ଗପୁର ବନ ବିଭାଗର କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯଇଥିଲା । ସେହିଭଳି ଛତିଶଗଡର ଗାରିଆବନ୍ଦ ଏସିଏଫଓଙ୍କ ନେତୃତ୍ବରେ ଇନ୍ଦାଗାଓଁ , ତୋରେଙ୍ଗା ଆଦି ରେଂଯର କର୍ମଚାରୀଙ୍କୁ ନେଇ ଆଉ ଏକ ଟିମ୍ ଗଠନ କରାଯଇଥିଲା । ଓଡିଶାର ୬୦ ଜଣ ଓ ଛତିଶଗଡର ୪୦ ଜଣ ବନ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଉଭୟ ରାଜ୍ୟର ବନ କର୍ମଚାରୀ ମାନଙ୍କୁ ନେଇ ସୋନପୁର ଡିଏନକେ ଗ୍ରାମରେ ଚଢାଉ ଆରମ୍ଭ ହୋଇଥିଲା । ଉକ୍ତ ଗ୍ରାମର ପ୍ରାୟ ୧୩ ଜଣଙ୍କ ଘର ମଧ୍ୟରୁ ଶାଗୁଆନ କାଠ ଗଣ୍ଡି , ପଟ୍ଟା , ଖଟ ଖୁରା, ଚୌକାଠ ଓ ଅର୍ଦ୍ଧ ନିର୍ମିତ ଫର୍ନିଚର୍ ଗୁଡ଼ିକକୁ ନେଇ ପ୍ରାୟ ୪ ପିକପ ବୋଝେଇ କରି ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଛି l ବର୍ତ୍ତମାନ ସୁଦ୍ଧା ଏହାର ସଠିକ୍ ଆକଳନ କରାଯାଇ ନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ତେବେ ଏହିି ୧୦୦ ଜଣ କର୍ମଚାରୀଙ୍କ ଟିମ୍ ଚଢାଉ କରିଥିବା ବେଳେ କାହାରିକୁ ଗିରଫ କରାଯାଇ ନଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି l ଆସନ୍ତା କାଲି ଜବତ ହୋଇଥିବା କାଠ ସାମଗ୍ରୀର ପ୍ରକୃତ ତଥ୍ୟ ପ୍ରକାଶ ପାଇବା ବୋଲି ବନ ବିଭାଗ ସୂଚନା ଦେଇଛି l