କମୁଛି ହୀରାକୁଦ ଜଳସ୍ତର, ଫୁଲୁଛି ମହାନଦୀ

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ । ପାୱାର ଚ୍ୟାନେଲ ଏବଂ କେନାଲ ଗୁଡ଼ିକ ଦେଇ ୪ଲକ୍ଷ ୨୪ହଜାର ୭୦୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ସେପଟେ ଫୁଲୁଛି ମହାନଦୀ । ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍‌ ଜଣ ପ୍ରବାହିତ ହେଉଥିବା ବେଳେ ପର୍ଥଲାରେ ୩୭ ହଜାର କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍‌, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ୨୪ଟି ଗେଟ୍‌ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି ।

ଅନ୍ୟପଟେ ଧିରେ ଧିରେ କମୁଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୬.୫୮ ମିଟର । ଗତକାଲି ୬.୭୯ ପର୍ଯ୍ୟନ୍ତ ଜଳସ୍ତର ଥିଲା । ଫଳରେ ବସ୍ତା ବ୍ଲକର ମଥାନୀ ଚଟାଣ, ପଳାସିଆ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିଲା । କୁଡ଼ିଆ ଗାଁର କିଛି ଲୋକଙ୍କ ଘରେ ପାଣି ପଶିଥିଲା । ବର୍ତ୍ତମାନ ଜଳସ୍ତର କମିଯିବାରୁ ଗାଁ ରୁ ପାଣି ଛାଡିଛି । କିନ୍ତୁ ଏବେବି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣିରେ ବୁଡି ରହିଥିବାରୁ ଚାଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।