ପୁଣି ତେଜିଲା କୃଷକ ଆନ୍ଦୋଳନ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ପୁଣି ତେଜିଲା କୃଷକ ଆନ୍ଦୋଳନ । ମୋଦି ସରକାରଙ୍କ ନେତୃତ୍ୱରେ ଆସିଥିବା ନୂଆ କୃଷି ଆଇନ ବିରୋଧରେ କୃଷକ ମାନେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଦେଶରେ ଅନେକ ସ୍ଥାନରେ ଚାଷୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସମସ୍ତ ରାଜ୍ୟପାଳ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଭେଟି ଚାଷୀ ମାନେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ଚଣ୍ଡୀଗଡରେ ହଜାରେରୁ ଉଦ୍ଧ୍ୱର୍ ଚାଷୀ ହରିୟାଣାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯିବା ସମୟରେ ପୋଲିସ ମଧ୍ୟରେ ସଂଘର୍ଶ ହୋଇଥିବାର ସୂଚନା ଆସିଛି । ପୋଲିସ ଚାଷୀମାନଙ୍କୁ ଅଟକାଇବା ପାଇଁ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗିବା ସହିତ ଚାଷୀ ମାନେ ଆଗକୁ ବଢିଥିଲେ ।
ଚାଷୀ ନେତା ରାକେଶ ଟିକାୟତଙ୍କ ନେତୃତ୍ବରେ ହଜାର ହଜାର ଚାଷୀ କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରତିବାଦ ଜାରି ରଖିଛନ୍ତି । ଶନିବାର ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ରାକେଶ ଟିକାୟତଙ୍କ ଗିରଫଦାରୀକୁ ନେଇ ମିଥ୍ୟା ଖବର ପ୍ରଚାରିତ ହେବାରେ ଲାଗିଛି । ଏ ନେଇ କୃଷକ ନେତା ରାକେଶ ଟିକାୟତ ନିଜେ ମୁହଁ ଖୋଲିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି, ‘ମୋତେ ଗିରଫ କରାଯାଇଥିବା ଖବର ମିଛ । ମୁଁ ଗାଜିପୁର ସୀମାରେ ହିଁ ଅଛି । ଏଠାରେ ସବୁକିଛି ସ୍ବାଭାବିକ ଅଛି ।’ ରାକେଶ ଟିକାୟତଙ୍କ ଗିରଫ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା । ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଥିବା ନେଇ ସାମାଜିକ ଗଣମାଧ୍ୟରେ ଅନେକ ଲୋକ ପ୍ରଚାର କରିଥିଲେ ।