ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିନେଲେ ଚାଷୀ

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅଧିକାରୀମାନେ ପଞ୍ଜାବ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟି ନେଉଛନ୍ତି ଚାଷୀ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପନ୍ଥା ଆପଣାଇଛି । ଆଗକୁ କିଛି ବଡ ଘଟଣା ଘଟିବାକୁ ଯାଉଥିବା ମଧ୍ୟ ଅନୁମାନ କରାଯାଉଛି । ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବର ଅମ୍ରିତସର, ଫିରୋଜପୁର, ଗୁରଦାସପୁର, ପଠାନକୋଟ ଅଂଚଳର କୃଷକମାନଙ୍କୁ ବିଏସ୍‌ଏଫ୍‌ ୨ ଦିନ ମଧ୍ୟରେ ଗହମ ଫସଲ କାଟିନେବାକୁ କହିଛି । ଏଥିସହ ସମ୍ପୃକ୍ତ ଅଂଚଳକୁ ଖାଲି କରିଦେବା ପାଇଁ ଗ୍ରାମମାସୀଙ୍କୁ ଅନୁରୋଧ କରାଯାଇଛି । ଗୁରୁଦ୍ୱାରରେ ମଧ୍ୟ ଏ ନେଇ ଘୋଷଣା କରାଯାଇଛି । କୃଷକମାନେ ମଧ୍ୟ ଏଥିରେ ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି । ପଞ୍ଜାବର ପଠାନକୋଟରୁ ଫାଜିଲିକା ପର୍ଯ୍ୟନ୍ତ ୫୫୩ କିଲୋମିଟର ଲମ୍ବା ସୀମାରେଖାରେ ଭାରତୀୟ ସେନାର ଗତିବିଧି ବଢ଼ିଯାଇଛି ।

ତେବେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଜିରୋ ଲାଇନ୍‌ ଏବଂ ଭାରତୀୟ ପାର୍ଶ୍ୱ ସୀମାନ୍ତ ବାଡ଼ ମଧ୍ୟରେ ପଞ୍ଜାବ ଚାଷୀଙ୍କର ପ୍ରାୟ ୪୫,୦୦୦ ଏକର ଜମି ରହିଛି । ବିଏସ୍‌ଏଫ୍‌ ପକ୍ଷରୁ କୌଣସି ଲିଖିତ ନିର୍ଦ୍ଦେଶ ଜାରି ହୋଇ ନ ଥିବାବେଳେ ଏହାର ଅଫିସରମାନେ ସୋମବାର ସନ୍ଧ୍ୟା ସୁଦ୍ଧା ଜମିରୁ ଫସଲ ଉଠାଇନେବାକୁ ଏବଂ ଆବଶ୍ୟକ ସତର୍କତା ପନ୍ଥା ଆପଣାଇବାକୁ ସୀମାନ୍ତ ଅଞ୍ଚଳ ଚାଷୀଙ୍କୁ କହିଛନ୍ତି ।