(ନୁଆଦିଲ୍ଲୀ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା କୃଷକ । କେନ୍ଦ୍ର ସରକାରଙ୍କ ନୁଆ କୃଷି ଆଇନକୁ ବିରୋଧ କରି ସିଂଘୁ ସୀମାରେ ପ୍ରଦର୍ଶନ ଜାରି ରଖିଥିବା କୃଷକମାନେ ରବିବାର ମୋଦିଙ୍କ ମନ କୀ ବାତ କାର୍ଯ୍ୟକ୍ରମ ବେଳେ ଥାଳି ବାଡେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରତିବାଦ ପ୍ରଦର୍ଶନ ବେଳେ କୃଷକମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ତେବେ ଲକଡାଉନ ବେଳେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଥାଳି ବାଡେଇବାକୁ ଆହ୍ୱାନ ଦେଇଥିବାରୁ ଏହି ପନ୍ଥାକୁ କୃଷକମାନେ ବିରୋଧ ପ୍ରଦର୍ଶନ ବେଳେ ଆପଣାଇଥିଲେ । ପୂର୍ବରୁ ମନ କୀ ବାତ କାର୍ଯ୍ୟକ୍ରମକୁ ସାର୍ବଜନୀନ ବିରୋଧ କରିବାକୁ କୃଷକ ସଂଗଠନ ଘୋଷଣା କରିଥିଲା ।
ସୂଚନାଯୋଗ୍ୟ, କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ଚଳାଇଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । ଚଳିତ ମାସ ୨୯ରେ ଆଲୋଚନା ପାଇଁ ଚାଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ସୂଚନା ଦେଇଛି ।