ଆଜି ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ଶେଷ ହେବ

ପୁରୀ-: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରହିଛନ୍ତି ତିନିରଥ। ଶନିବାର ଆଷାଢ ଶୁକ୍ଲ ଦଶମୀ ତିଥିରେ ଦାରୁବ୍ରହ୍ମ ବାହୁଡା ଯାତ୍ରା କରିବେ। ବୁଧବାର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯାଇଥିବା ବେଳେ ଗୁରୁବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯାଇଥିଲା । ତେବେ ଆଜି ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ଶେଷ ହେବ । ଶନିବାର ଠାକୁର ବାହୁଡ଼ା ଯାତ୍ରାରେ ବାହାରିବେ । ସେଥିପାଇଁ ଆଡପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ଲାଗି ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୋଧ ଅନୁଷ୍ଠାନ କରାଯିବ, ଯାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ କରାଯିବ । ଏହି ନୀତିଗୁଡ଼ିକ ବାହୁଡ଼ା ଯାତ୍ରାର ପୂର୍ବପ୍ରସ୍ତୁତିର ଏକ ଅବିଚ୍ଛେଦ୍ୟର ଅଂଶବିଶେଷ ହୋଇଥାଏ ।