ଆଠଗଡ: ବାହାରେ ଦେହ ଲୋଭୀ ପୁରୁଷ ବନ୍ଧୁ ପାଖରୁ ରକ୍ଷା ପାଇବା ପାଇଁ ଯୁବତୀ ନେଇଥିଲେ ପୋଲିସର ଶରଣ । ହେଲେ ପୋଲିସ ପାଲଟିଗଲା ନର ରାକ୍ଷାସ । ଜଣେ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ କାର୍ଯ୍ୟରତ ହୋମଗାର୍ଡ । ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ପରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ହୋମଗାର୍ଡ । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ ପୋଷ୍ଟରେ ।
ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାରକୁ ଆଣିଥିଲା ଅଚିହ୍ନା ପୁରୁଷ ବନ୍ଧୁ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଯୁବତୀ ଜଣକ ରାଜି ନ ହେବାରୁ ବିଳମ୍ବିତ ରାତିରେ ମହିଳାଙ୍କୁ ମଙ୍ଗୁଳି ଛକରେ ଏକା ଛାଡି ଚାଲିଯାଇଥିଲା ପୁରୁଷ ବନ୍ଧୁ ଜଣକ । ଏକାକୀ ଦେଖି କିଛି ଅସାମାଜିକ ଲୋକ ମହିଳା ଜଣକୁ ଡରାଇଥିଲେ । ତେଣୁ ଭୟରେ ପିକଟସ୍ଥ ମଙ୍ଗୁଳି ଆଉଟ ପୋଷ୍ଟକୁ ଚାଲିଯାଇଥିଲେ ଯୁବତୀ ଜଣକ । କିନ୍ତୁ ଜାଣି ନଥିଲେ ଯେଉଁ ଯାଗାକୁ ଶରଣ ପାଇଁ ଯାଉଛନ୍ତି, ସେଠାରେ ରହିଛି ଅଧିକ ବିପଦ । ମହିଳାଙ୍କ ନିକଟରୁ ସବୁ କଥା ଶୁଣିବା ପରେ କାମ ଲୋଭୀ ହୋଇଯାଇଥିଲେ ହୋମଗାର୍ଡ । ଆଉଟ ପୋଷ୍ଟ ରୁମକୁ ନେଇ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତେବେ ଏ ନେଇ କିଛି ଯୁବକ ପୋଲିସକୁ ଖବର ଦେବାରୁ ହୋମଗାର୍ଡଙ୍କ ସମେତ ତିନି ଜଣଙ୍କୁ ଟାଙ୍ଗୀ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।