ହେଡିଂଲେ ଟେଷ୍ଟରେ ଭାରତକୁ ୫ ୱିକେଟରେ ପରାଜିତ କରିଛି ଇଂଲଣ୍ଡ

ଇଂଲଣ୍ଡ-: ହେଡିଂଲେ ଟେଷ୍ଟରେ ଭାରତକୁ ୫ ୱିକେଟରେ ପରାଜିତ କରିଛି ଇଂଲଣ୍ଡ ।  ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହଛି ଘରୋଇ ଦଳ ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଟାର୍ଗେଟ୍‌ ଦେଇଥିଲା ଭାରତ । ଏହି ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫ ୱିକେଟ ହରାଇ ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଓପନର ବେନ ଡକେଟ୍ ୧୪୯ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ।

ଭାରତ ଏକ  କଷ୍ଟକର ଲକ୍ଷ୍ୟ ଦେବା ପରେ ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୨୧ ରନ୍ କରିଥିଲା ଇଂଲଣ୍ଡ। ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳକୁ ଆଉ ୩୫୦ ରନ୍‌ର ଦରକାର ଥିଲା। ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୧୮୮ ରନ୍ ଯୋଡ଼ିବା ପରେ ହିଁ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା। ବିଶେଷ କରି ଡକେଟ୍‌ଙ୍କ ୧୪୯ ରନ୍‌ର ଅବିଶ୍ବସନୀୟ ପାଳି ଦୁଇ ଦଳ ମଧ୍ୟରେ ଫରକ ହୋଇଥିଲା। ଏକାଧିକ ଥର ବର୍ଷା ବ୍ୟାଘାତ ସତ୍ତ୍ବେ ବୁମ୍‌ରା ୱିକେଟ୍ ଶୂନ୍ୟ ରହିବା ଭାରତକୁ ସବୁଠୁ ବେଶି ବାଧିଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମେ କ୍ରଲି ଓ ପରେ ଓଲି ପୋପ୍‌ଙ୍କୁ ଶସ୍ତାରେ ଆଉଟ୍ କରିଥିଲେ ମଧ୍ୟ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।  ଦିନର ଅଧିକାଂଶ ସମୟ ନିଷ୍ପ୍ରଭ ଥିବା ଶାର୍ଦୁଳ ଠାକୁର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ଏବଂ ରବୀନ୍ଦ୍ର ଜାଡ଼େଜା ପ୍ରତିପକ୍ଷ ଅଧିନାୟକ ‌ଷ୍ଟୋକ୍ସଙ୍କୁ ଆଉଟ୍ କରି  କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନିର୍ଭରଯୋଗ୍ୟ ଜୋ ରୁଟ୍ ବରଫ ଭଳି ଶାନ୍ତ ଓ ସ୍ଥିର ରହି ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳକୁ ଶେଷରେ ‌ରୋମାଞ୍ଚକ ବିଜୟ ଉପହାର ଦେଇଥିଲେ। ଭାରତ ପ୍ରଥମ ପାଳିରେ ଶେଷ ୭ ୱିକେଟ୍‌ ୪୧ ରନ୍‌ରେ ଏବଂ ଦ୍ବିତୀୟ ପାଳିରେ ଶେଷ ୬ ୱିକେଟ୍ ୩୧ ରନ୍‌ରେ ହରାଇବା ଶେଷରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି।