ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍ଏଚ୍ଜି ମହାସଂଘ । ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଥିଲେ । ମିଲେଟ୍ର ଚାହିଦାକୁ ଦେଖି ସେମାନେ ଦୁଇବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ମିଲେଟ୍ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇ ଜୀବିକା ଅର୍ଜନ କରୁଥିଲେ । ମିଲେଟ୍ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ମହାସଂଘର ସଦସ୍ୟାମାନେ ଭୁବନେଶ୍ୱରସ୍ଥିତ ହୋଟେଲ୍ ମ୍ୟାନେଜ୍ମେଣ୍ଟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ ଏବଂ ସେମାନଙ୍କ ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଦକ୍ଷତା ଓ ଅଭିଜ୍ଞତା ଥିଲା । କେବଳ ଏକ ସୁଯୋଗର ଅପେକ୍ଷା ଥିଲା । ସେ ବଡ଼ ସୁଯୋଗ ସେମାନଙ୍କ ପାଖକୁ ଆସିଲା ଯେତେବେଳେ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଭିତରେ ଗୋଟିଏ ମିଲେଟ୍ ଶକ୍ତି କାଫେ ଖୋଲିବା ନିମନ୍ତେ ଓଡ଼ିଶା ମିଲେଟ୍ ମିଶନ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପଦକ୍ଷେପ ନିଆଗଲା ।ଏହି କାଫେରେ ବିକ୍ରୟ ନିମନ୍ତେ ସେମାନେ ଆବେଦନ କଲେ ଏବଂ ମିଲେଟ୍ କାଫେ ପରିଚାଳନା ନିମନ୍ତେ କାର୍ଯ୍ୟାଦେଶ ପାଇଲେ ।
ଜାନୁଆରୀ ୧୨ ତାରିଖ ଦିନ ଏହି କାଫେ କଳିଙ୍ଗ ଷ୍ଟାଡିୟମ୍ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେଲା । ମହାସଂଘର ମା’ମାନେ ଦିନରାତି ଲାଗି ପଡ଼ିଲେ । ମ୍ୟାଚ ଥିବା ଦିନମାନଙ୍କରେ ସେମାନେ ୨୫ରୁ ୩୦ ହଜାର ଟଙ୍କ ବ୍ୟବସାୟ କରିଥାନ୍ତି ଏବଂ ମ୍ୟାଚ୍ ନଥିବା ଦିନଗୁଡ଼ିକରେ ୧୦ରୁ ୧୫ ହଜାର ଟଙ୍କାର ବିକି୍ରବଟା ହୋଇଥାଏ ।ପିଠା ଏବଂ ଶୁଖିଲା ଖାଦ୍ୟ ବ୍ୟତୀତ ମିଲେଟ୍ର ବିଭିନ୍ନ ବେକେରୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ସେମାନେ ବିଭିନ୍ନ ସ୍ଥାନକୁ ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ଅନ୍ଲାଇନ୍ରେ ସେମାନେ ନିଜର ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ମହାସଂଘର ୧୮ ଜଣ ସଦସ୍ୟା କାମ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ଏସ୍ଏଚ୍ଜିମାନଙ୍କ ନିମନ୍ତେ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଘୋଷଣା କରିବା ପରେ ଏହି ମହାସଂଘର ସଦସ୍ୟାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।
ଆଜି ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଏହିଭଳି ଅନେକ ଏସ୍ଏଚ୍ଜି ସରକାରୀ ପ୍ରୋତ୍ସାହନରେ ଧୀରେ ଧୀରେ ଏସ୍ଏମ୍ଇ (କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ)ରେ ପରିଣତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାର ସ୍ୱପ୍ନ ଧୀରେ ଧୀରେ ବାସ୍ତବରେ ରୂପାନ୍ତରିତ ହେବାରେ ଲାଗିଛି । ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ତା’ର ଜ୍ୱଳନ୍ତ ଉଦାହରଣ ।ସେପଟେ ଏହି ସମୟ ମଧ୍ୟରେ କମିଶନରେଟ୍ ପୋଲିସକୁ ସେମାନେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୫୦୦ ପ୍ୟାକେଟ୍ ( ୬ ପ୍ରକାର ଖାଦ୍ୟ ସାମଗ୍ରୀର ଏକ ଜଳଖିଆ ପ୍ୟାକେଟ) ଯୋଗାଇଛନ୍ତି । ଏଥିରେ ସେମାନଙ୍କର ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା । ପୁଣି ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟରମାନଙ୍କ ଏକ ଉତ୍ସବ ନିମନ୍ତେ ସେମାନେ ୬୦୦ ପ୍ୟାକେଟ ଯୋଗାଇ ବେଶ ଲାଭବାନ ହୋଇଛନ୍ତି ।