ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ

ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଳା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ସମ୍ପୃକ୍ତ ବିଭାଗ ଦ୍ୱାରା ବନ୍ୟା ପୂର୍ବରୁ,ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେବା ସହ ନୈତିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେ କୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଓ ଗୋଷ୍ଠୀ ସହାଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁ- ସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ୟ ସମ୍ପାଦନରେ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଯତ୍ନବାନ ହେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ ପ୍ରସ୍ତୁତ ସହ ସ୍ଥିତି ପରିସ୍ଥିତିକୁ ନିରୀକ୍ଷଣ କରି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ କହିଥିବା ବେଳେ କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାସ୍ତର, ଉପଖଣ୍ଡସ୍ତର,ବ୍ଲକସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ ନିଜ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାର ଜନସାଧାରଣ ବିପର୍ଯୟ ସମ୍ବଧୀୟ କୌଣସି ତ୍ୱରିତ ସୂଚନା ପାଇବାକୁ କିମ୍ବା ସୂଚନା ଦେବାକୁ ଜିଲ୍ଲା କାର୍ଯ୍ୟଳୟ କଣ୍ଟ୍ରୋଲ ରୁମ ନମ୍ବର ୦୬୬୫୪- ୨୯୧୩୭୪ କୁ (୨୪×୭) ଯୋଗାଯୋଗ କରିପାରିବେ।

ଏତଦ ବ୍ୟତୀତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ବିଗତ ବର୍ଷର ଅଭିଜ୍ଞତାକୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବାକୁ ନିର୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମରେ  ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା ରାଜ୍ୟ ରିଲିଫ କମିଶନ କାର୍ଯାଳୟର ସ୍ୱତନ୍ତ୍ର ଅଧିକାରୀ ମୟୁରେସ ପଣ୍ଡା ଯୋଗଦାନ କରି ବିପର୍ଯ୍ୟୟର ମୁକାବିଳା ନିମନ୍ତେ ଓସଡ଼ମା ଓ ଏନଡିଆରଏଫର ଭୂମିକା ଉପରେ ଆଲୋକପାତ କରି ପ୍ରତ୍ୟେକ ବିଭାଗ ସଂଗଠିତ ହୋଇ ନିଜ ନିଜର ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କଲେ ଆମେ ନିଶ୍ଚିତ ସଫଳ ହେବା ବୋଲି କହିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା ସହ ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସଂଗ୍ରାମ କେଶରୀ ଜେନା ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ କାର୍ଯ୍ୟକ୍ରମର ରୂପରେଖ,ବ୍ୟବସ୍ଥିତ କାର୍ଯ୍ୟଖସଡ଼ା ର ଦୃଶ୍ୟ ଶ୍ରାବ୍ୟ ମାଧମରେ ତଥ୍ୟ ପ୍ରଦାନ କରିଥିଲେ।