ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଶିକ୍ଷାଇବ ଓଡିଶା । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ , ଓଡିଶା ଦମ୍ଭର ସହ ଲଡିଛି । ଏଥର ବିପର୍ଯ୍ୟୟ ମୁକାବିଲା ଦିଗରେ ସ୍ୱଳ୍ପ କାଳୀନ ଯୋଜନା ବଦଳରେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବ ରାଜ୍ୟ ସରକାର ।
ଏଥିପାଇଁ ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ଅନୁକରଣ କରିଛନ୍ତି । ସେମାନଙ୍କୁ ବିପର୍ୟ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ମନୋନୀତ କରିଛି । କାଲିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନ୍ୟ ରାଜ୍ୟର ପ୍ରଶାନିକ ଅଧିକାରୀ ପ୍ରଶିକ୍ଷଣ ନେବେ । ଫାଇଲିନ୍, ହୁଡ୍ହୁଡ୍, ତିତଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି ।
ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ବିପର୍ୟ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ । କାଲିଠାରୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀରେ କର୍ମଶାଳା ଆୟୋଜନ ହେଉଛି ।
ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାର ଓଡିଶା ଦକ୍ଷତା ସଂପର୍କରେ ସାରା ବିଶ୍ୱର ଦୃଷ୍ଟି ଭଙ୍ଗି ବଦଳି ଯାଇଛି । ଆଜି ଓଡିଶା ବିପର୍ଯ୍ୟୟ ମୁକାବିଲା ପରିଚାଳନାରେ ଏକ ମଡେଲ ପାଲଟି ସାରା ବିଶ୍ୱରୁ ପ୍ରଶଂସା ସାଉଁଟୁଛି ।