ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ନିଶା । କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ପାଳିଛନ୍ତି ଜନ୍ମଦିନ । ଏନେଇ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ଲେଖିଛନ୍ତି ଚିଠି । ଭୁବନେଶ୍ୱର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଙ୍ଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ।
ଦିବ୍ୟଶଙ୍କର ତାଙ୍କ ପତ୍ରରେ ଉଲ୍ଲେଖକରିଛନ୍ତି, ଅକ୍ଟୋବର ୮ ଦିନ ନିଜ ଜନ୍ମଦିନ ପାଳନ କରିବା ସମୟରେ କୋଭିଡ୍ କଟକଣା ମାନି ନଥିଲେ। ତାଙ୍କ ସହ ଶତାଧିକ ମହିଳା ଥିଲେ । ଜଣଙ୍କୁ ଛାଡିଦେଲେ ଅନ୍ୟ କେହି ମାସ୍କ ପିନ୍ଧିନଥିଲେ । ଏପରିକି ସାମାଜିକ ଦୂରତା ରକ୍ଷା କରିନଥିଲେ । ସାଂସଦଙ୍କ ନାମରେ ପୂର୍ବରୁ ମଧ୍ୟ କୋଭିଡ୍ କଟକଣା ଉଲଙ୍ଘନ ନେଇ ଅଭିଯୋଗ ରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସାଂସଦ ଅପରାଜିତ ଷଡଙ୍ଗୀ ଚେତୁନାହାଁନ୍ତି ।
ଭୁବନେଶ୍ୱରବାସୀ କରୋନା ଭାଇରସର ମୁକାବିଲା କରୁଛନ୍ତି । କରୋନା ଯୋଦ୍ଧାମାନେ ଦିନ ରାତି ଏକ କରି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏପରିକି ଅନେକ କରୋନା ଯୋଦ୍ଧା ନିଜ ଜୀବନ ମଧ୍ୟ ହାରିଛନ୍ତି । ତେବେ ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀଙ୍କ ଏପରି କାର୍ୟ୍ୟକଳାପ ଜୀବନ ହାରିଥିବା କରୋନା ଯୋଦ୍ଧାଙ୍କ ପ୍ରତି ଅପମାନ ସଦୃଶ ଅଟେ । ଆପଣଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗକୁ ମାନନୀୟ. ପ୍ରଧାନମନ୍ତ୍ରୀ ଏବଂ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଚିକୁ ନେବା ସହ ମାନ୍ୟବର ଭୁବନେଶ୍ୱର ସାଂସଦଙ୍କୁ ଏପରି ଆଚରଣରୁ ତଥା ଲୋକଙ୍କ ଜୀବନ ସହ ଖେଳ ନ ଖେଳିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର ।