ମାର୍କସିଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୟୁଜି ଛାତ୍ରଛାତ୍ରୀଙ୍କ ଶେଷ ସେମିଷ୍ଟାର ପରୀକ୍ଷା ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ସାର୍ଟିଫିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଦେଶରେ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ପୋଷ୍ଟ ଗ୍ରାଜୁଏଟ ରେଜିଷ୍ଟ୍ରେନ ଚାଲିଥିବା ବେଳେ ମାର୍କସିଟ୍ ମିଳିବାର ବିଳିମ୍ବ ହେଉ ଥିବାରୁ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ବି ଏପର୍ୟ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍ ଦିଆଯାଇନାହିଁ। ଅନେକ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି ।
ପୂର୍ବରୁ ପ୍ରୋଭିଜିନାଲ ମାର୍କସିଟ୍ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି। ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀ ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ମୁମ୍ବାଇ ବିଶ୍ୱବିଦ୍ୟାଳୟ, କୁମାଉଁ ବିଶ୍ୱବିଦ୍ୟାଳୟ ଭଳି ଅନେକ ବିଶ୍ୱବିଦ୍ୟାଳୟରେ ଆଡମିସନ ତାରିଖ ନିକଟବର୍ତ୍ତୀ ହେଉଥିବାରୁ ଛାତ୍ରଛାତ୍ରୀମାନେ ନେଇ ଦ୍ୱନ୍ଦ୍ବରେ ଅଛନ୍ତି। ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।
ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।