ଜୟପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ,ପୋଖରୀରୁ ମିଳିଲା ମଣିଷ ଜଙ୍ଘ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ବାଗବନ୍ଧ ପୋଖରୀରୁ ଏକ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ସନ୍ଦେହର ବାତାବରଣ ଖେଳିଯାଇଛି। ​ସୂଚନା ଅନୁଯାୟୀ, ଆଜି ଗାଁର କିଛି ପିଲା ମାଛ ଧରିବା ପାଇଁ ବାଗବନ୍ଧ ପୋଖରୀକୁ ଯାଇଥିଲେ। ଜାଲରେ କିଛି ଏକ ଭାରି ଜିନିଷ ଲାଗିଥିବାରୁ ପିଲାମାନେ ତାକୁ ବଡ଼ ମାଛ ଭାବି କୂଳକୁ ଟାଣି ଆଣିଥିଲେ। ମାତ୍ର ସେଠାରେ ଏକ ଗଳିତ ମଣିଷ ଜଙ୍ଘ ଦେଖିବାକୁ ପାଇ ସେମାନେ ଭୟଭୀତ ହୋଇ ପାଟି କରିଥିଲେ। ପରେ ଗାଁ ଲୋକେ ସେଠାରେ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ​ଖବର ପାଇ ଜୟପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଙ୍ଘଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଖରୀ ମଧ୍ୟରେ ଶରୀରର ଅନ୍ୟ ଅଂଶ ଅଛି କି ନାହିଁ, ସେ ନେଇ ମଧ୍ୟ ଖୋଜାଖୋଜି ଜାରି ରହିଛି।

​ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି, କାରଣ ଗତ ୭ ମାସ ତଳେ ଉକ୍ତ ଗାଁର ଅମୃତ ପୁଝାରି ନାମକ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଜୟପାଟଣା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ମିଳିଥିବା ଏହି ଶରୀରର ଅଂଶଟି ସେହି ନିଖୋଜ ଯୁବତୀଙ୍କର କି ନୁହେଁ, ସେ ନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି।​ଯଦି ଏହା ହତ୍ୟାକାଣ୍ଡ ହୋଇଥାଏ, ତେବେ ଏହା ପଛରେ କାହାର ହାତ ଅଛି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ପୋଲିସ ଏହି ଅଙ୍ଗକୁ ବ୍ୟବଚ୍ଛେଦ ଏବଂ DNA ପରୀକ୍ଷା ପାଇଁ ପଠାଇବାକୁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।