(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ୍ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟ ଶପଥ ପାଠ କରାଯାଇଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ହାଇକୋର୍ଟର ସମସ୍ତ ବିଜାରପତି ଓ ରାଜ୍ୟର ଆଡଭୋକେଟ ଜେନେରାଲ ଉପସ୍ଥିତ ରହି ସାମାଜିକ ଦୂରତା ଅବଲମ୍ବନ କରିଥିଲେ । ଏହା ସହ ରାଜ୍ୟର ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ ।
ଜଷ୍ଟିସ୍ ରଫିକ୍ ଏହା ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଗତ ୧୮ତାରିଖରେ ସୁପାରିସ କରିଥିଲେ। ଜଷ୍ଟିସ୍ ରଫିକ୍ ୨୦୦୬ ମେ’ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ପରେ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିବା ପରେ ୨୩ତାରିଖରେ ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯ ନଭେମ୍ବର ୧୩ ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ୟ୍ୟଭାର ଗ୍ରହଣ କରିଥିଲେ।