(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଓଡିଶା ଭଲିବଲ ସଂଘ ସମ୍ପାଦକ ତଥା କିଟ ବିଶ୍ୱବିଦ୍ୟାଳୟ କ୍ରୀଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାସଙ୍କୁ ମିଳିଛି ଆଉ ଏକ ବଡ ଦାୟିତ୍ୱ । ଇଟାଲିର ନାପୋଲିରେ ଜୁଲାଇ ୩ରୁ୧୪ତାରିଖ ପର୍ଯ୍ୟନ୍ତ ଖେଳାଯିବାରୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡା ଲାଗି ଡକ୍ଟର ଦାଶଙ୍କୁ ଭାରତୀୟ ପ୍ରତିନିଧି ଦଳର ଉପ ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ସଭାପତି ମାଣିକରାଓ ସାଲୁଙ୍କେ ଏହି ପ୍ରତିନିଧି ଦଳର ମୁଖ୍ୟ ଦାୟିତ୍ୱ ପାଇଛନ୍ତି । ଓଡିଶାର ଏକମାତ୍ର କ୍ରୀଡାବିତ୍ ଭାବେ ମଧ୍ୟ ଧାବିକା ଦୂତି ଚାନ୍ଦ ଏହି ପ୍ରତିଯୋଗିତାରେ ଭାଗ ନେବେ । ୨୦୧୭ ମସିହାରେ ଡକ୍ଟର ଦାଶ ମଧ୍ୟ ଚାଇନିଜ ତାଇପରେ ଅନୁଷ୍ଠିତ ବିଶ୍ୱ ବିଦ୍ୟାଳୟ କ୍ରୀଡା ତୀରନ୍ଦାଜୀ ଦଳ ପ୍ରତିନିଧି ମଣ୍ଡଳୀର ମୁଖ୍ୟ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ । ଉଭୟଙ୍କୁ କିଟ ଓ କିସ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।