କୃଷକଙ୍କ ପାଇଁ ମୁଁହ ଖୋଲିଲା ରାଜ୍ୟ କଂଗ୍ରେସ

(ଭୁବନେଶ୍ୱର/ରାଜେଶ ସାହୁ): ପିସିସି ସଭାପତି ନିରଂଜନ ପଟ୍ଟନାୟଙ୍କ ସରକାରଙ୍କୁ ପ୍ରଶ୍ନ । ଏହି କରୋନା କାଳରେ ଚଳିତ ବର୍ଷ ରବି ଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ । ରାଜ୍ୟରେ ଚାଷୀକୁ ବହୁ କଷ୍ଟ କରିବାକୁ ପଡିଛି । କରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା । ଧାନ ଅମଳ ବେଳକୁ ମାଡିଆସିଲା କାଳ ବୈଶାଖୀ ।

ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲା ଚାଷୀ । ତା ପରେ ପରେ ଆସିଲା ୟାସ ବାତ୍ୟା । ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ । ମାତ୍ର ଏତିକିରେ ସେମାନଙ୍କ ଦୁର୍ଦଶାର ଅନ୍ତ ହେଲା ନାହିଁ । ଏବେ ଦୁର୍ଦଶା ହେଉଛି ଧାନ ବିକିବା ପାଇଁ । ଆଗର ଦୁର୍ଦଶା ପାଇଁ କାରଣ ଥିଲା ମହାମାରୀ କରୋନା ଏବଂ ପ୍ରକୃତି । ମାତ୍ର ଏବେ ସେମାନଙ୍କ ଦୁର୍ଦଶା ର କାରଣ ହେଉଛନ୍ତି ସରକାର ବୋଲି ଏକ ବିଜ୍ଞପ୍ତିରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ଅଦ୍ଭୁତ ନୀତି ସରକାରଙ୍କର । ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ । କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆରଆଇମାନଙ୍କ ଦେଇ ଏକ ଆକଳନ କରିଥିଲେ । ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଲେ ରେଜିଷ୍ଟ୍ରସନ ପାଇଁ । ସେଥିପାଇଁ ଚାଷୀ ମଧ୍ୟ କମ ଧାଁ ଧପଡ଼ କରିନାହିଁ । କିନ୍ତୁ ସେସବୁ ଚୁଳିକି ଗଲା । ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ ।

ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ନିଷ୍ପତି କରି ଶୁଣାଇଦେଲେ ଚାଷୀଙ୍କୁ । କିନ୍ତୁ କେତେ କିଣାଯିବ କହିଲେ ନାହିଁ । କହିଲେ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିବ । ଟୋକନ ପହଁଚିଲା । ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶା ଯାଇଥିଲା । ହେଲେ ତା ମଧ୍ୟ କିଣା ଗଲାନାହିଁ । ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ ଵାଲା ଆସିଲା ନାହିଁ । ଫଳରେ ଅନେକ ଚାଷୀ ଙ୍କ ଟୋକନ ଅକାମି ହୋଇଗଲା ।

ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପେଁଚ । ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ରହୁଥିଲା । ମାତ୍ର ଏବେ ତାକୁ ପନ୍ଦର ଦିନ ପରେ ଅକାମି କରି ଦିଆ ଯାଉଛି । ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନପାରିଲା ନାହିଁ । ତାହାହିଁ ହେଇଛି ଅନେକ ଚାଷୀଙ୍କ କ୍ଷେତ୍ରରେ ।

ଏମିତି ବି ଚାଷୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଞ୍ଚିନାହିଁ କି ଟୋକନ ବି ପହଞ୍ଚିନି । ସେମାନେ ସମସ୍ତେ ଡହଳ ବିକଳ ଧାନ ବିକିବା ପାଇଁ । ଏହା ସାଙ୍ଗକୁ ମିଲର ମାନଙ୍କ ମନମାନି । କେବେ ଧାନ ସେମାନେ ମଣ୍ଡିରୁ ନେବେ ତାର କୌଣସି ଠିକ ଠିକଣା ନାହିଁ । ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ ମଣ୍ଡି କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି । ଧାନ ବିକିଲା ବେଳେ ଚାଷୀ ଙ୍କ ଉପରେ ଜୁଲୁମ । ସେମାନେ କଟଣୀ ଓ ଛଟଣି ର ଶିକାର ହେଉଛନ୍ତି । ଠାଏ ଠାଏ ୭/ ୮ କିଲୋ ଧାନ କଟା ଯାଉଛି । ସେମାନଙ୍କ ଧାନର ଗୁଣବତ୍ତା କୁଆଡେ ନାହିଁ । ସେଥିରେ ଆଦ୍ରତା ଅଛି । ସବୁ ଦୋଷ ଓ ବୋଝ ଚାଷୀଙ୍କ ଉପରେ ନଦି ଦେଉଛନ୍ତି ସରକାର ।

ଧାନ କିଣିଲା ବେଳେ ଅଖା ମିଲ ମାଲିକ ଦେବା କଥା । ମାତ୍ର ତାହା ହେଉ ନାହିଁ । ଚାଷୀ କୁ ଅଖା ସହ ଧାନ ଦେବାକୁ ପଡୁଛି । ଅଖା ପିଛା ୨୫ ଟଙ୍କା ଚାଷୀ କୁ ଭରଣା କରିବାକୁ ପଡୁଛି । ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିବାରେ ଲାଗିଛନ୍ତି । ପ୍ରଦେଶ କଂଗ୍ରେସ ଚାଷୀଙ୍କ ଏହି ଦୁର୍ଦଶା କୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି ଏବଂ ସରକାର ଯଦି ଏହାର ତୁରନ୍ତ ପ୍ରତିକାର ନ ନିଅନ୍ତି,

ତେବେ ରାଜ୍ୟର ସମସ୍ତ ମଣ୍ଡି ଏବଂ ବ୍ଲକ ଅଫିସ ସାମ୍ନାରେ ଚାଷୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟନାୟକ ଚେତାବନୀ ଦେଇଛନ୍ତି । ଅକାମି ହୋଇଥିବା ଟୋକନ ଗୁଡିକୁ ସଚଳ କରିବା, ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉତ୍ପାଦନ କରିଛି ସେ ସମସ୍ତ ଧାନ କୁ କିଣିବା, କଟଣୀ ଛଟଣୀ ବନ୍ଦ କରିବା, ଅଖାର ବୋଝ ଚାଷୀ ଙ୍କୁ ନଦେଇ ମିଲର କୁ ଭରଣା କରିବାକୁ ବାଧ୍ୟ କରିବା ଇତ୍ୟାଦି ଦାବୀ ଗୁଡିକ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ପୂରଣ କରିବାକୁ ଦାବୀ କରିଛନ୍ତି ।

ଏବେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାକୁ ସରକାର କେନ୍ଦ୍ରିଭୁତ କରି ଭୁବନେଶ୍ୱରରୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ନାନା ପ୍ରକାରର ଅବ୍ୟବସ୍ଥା ଦେଖା ଦେଉଛି । ତେଣୁ ପୂର୍ବଭଳି ବିକେନ୍ଦ୍ରିତ ଢାଞ୍ଚା ରେ ଧାନ କିଣା ପ୍ରକ୍ରିୟାକୁ ଚାଲୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ।