ଆଜି ହୋଇପାରେ ବଡ ପରିବର୍ତ୍ତନ : ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ !

0

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜନୀତିରେ ବଡ ହଲଚଲ । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଳ୍ଲୀ ଗସ୍ତ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ଯେ, ଆଜି ଜେଏମଏମ ଛାଡି ଚମ୍ପାଇ ସୋରେନ ବିଜେପିରେ ଯୋଗଦାନ କରିପାରନ୍ତି । ନିଜର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ ହଟାଇଦେଇଛନ୍ତି ଚମ୍ପାଇ ସୋରେନ । ଏହା ବ୍ୟତୀତ ଚମ୍ପାଇ ସୋରେନଙ୍କ ବାସଭବନରୁ ଜେଏମଏମ ପତାକାକୁ କାଢି ଦିଆଯାଇଛି ।

ସେପଟେ କୁହାଯାଉଛି ଯେ, ବିଜେପିର ବରିଷ୍ଠ ନେତାଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି । ଖୁବ ଶୀଘ୍ର ବିଜେପି ନେତାଙ୍କ ସହ ତାଙ୍କର ବୈଠକ ହେବ । ତେଣୁ ବୈଠକ ପରେ ଚମ୍ପାଇ ସୋରେନ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ କୁହାଯାଉଛି । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ସୋରେନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ। ଉକ୍ତ ପୋଷ୍ଟରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ଯେଉଁଭଳି ଅପମାନ କରାଯାଇଥିଲା ତାହା ସେ ପ୍ରକାଶ କରିଛନ୍ତି । ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ବିଧାୟକ ଦଳର ବୈଠକ ଡକାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯିବା ଠାରୁ ବଡ ଅପମାନ ଆଉ କିଛି ନ ହୋଇପାରେ । ଏହା ମଧ୍ୟ ଲେଖା ହୋଇଛି ଯେ, ଏବେ ତାଙ୍କ ପାଇଁ ସମସ୍ତ ବିକଳ୍ପ ଖୋଲା ରହିଛି । ଏବଂ ଚର୍ଚ୍ଚା ହେଉଛି ଯେ ସୋରେନଙ୍କ ସହ କଂଗ୍ରେସର ୬ ଜଣ ବିଧାୟକ ବିଜେପିରେ ମିଶିପାରନ୍ତି । କିନ୍ତୁ ସେପରି ହେଲେ ହେମନ୍ତ ସୋରେନଙ୍କ ସରକାର ଅଲ୍ପମତକୁ ଆସିଯିବାର ସମ୍ଭାବନା ରହିଛି । ଏପରି ସ୍ଥଳେ ଯଦି ଚମ୍ପାଇ ସୋରେନ ଜେଏମଏମ ଛାଡି ବିଜେପିରେ ସାମିଲ ହୋଇଯାନ୍ତି ତେବେ ଏହା ମେଣ୍ଟ ସରକାରରେ ମଧ୍ୟ ଅଡୁଆ ବଢାଇବର ଆଶଙ୍କା ରହିଛି ।