ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ରଥଖଳା । କାରିଗର ମାନେ ରଥ ନିର୍ମାଣ କାର୍ଯ୍ୟରେ ଦିନ ରାତି ଏକ କରି ଦେଇଛନ୍ତି । ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ତିନି ରଥର ଚକଅଖ ଡେରା ନୀତି । ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ, ଘଣ୍ଟ ଛତା, କାହାଳି ସହ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି ।
ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା ।