ମୟୂରଭଞ୍ଜ:- ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୫ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଯାତ୍ରୀଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଅମାନବୀୟ କାର୍ଯ୍ୟ ପାଇଁ କଣ୍ଡକ୍ଟରଙ୍କୁ ବଜାର ଭିତରେ ଉଠ ବସ କରାଇଲେ ସ୍ଥାନୀୟ ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ ।
ସୂଚନା ଅନୁଯାୟୀ ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ପୁଅ ପୀୟୂଷ ଓ ନଡ଼ପୁର ଗ୍ରାମର ସରୋଜଙ୍କ ଭିଣୋଇ ବ୍ରଜମୋହନ ବେହେରାଙ୍କ ସପ୍ତମରେ ପଢୁଥିବା ପୁଅ ରୋହିତ ରବିବାର ଅପରାହ୍ନ ୨ଟା ସମୟରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଛକରୁ ‘ମୁଖ୍ୟମନ୍ତ୍ରୀ ବସ୍’ରେ ଚଢ଼ିଥିଲେ । ବସ୍ରେ ଉଠିବା ସମୟରେ ଦୁଇଭାଇ କଣ୍ଡକ୍ଟର୍ ଦାୟିତ୍ୱରେ ଥିବା ପ୍ରତାପ ବଇଠାଙ୍କୁ କହିଥିଲେ ଭଡ଼ା ବାବଦକୁ ଦେବାପାଇଁ ୧୦ଟଙ୍କା ସେମାନଙ୍କ ପାଖରେ ନାହିଁ, ବୈଶିଙ୍ଗା ବସ୍ଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଜଗିଛନ୍ତି, ସେଠାରେ ସେ ଭଡ଼ା ଦେଇଦେବେ । ହେଲେ ବୈଶିଙ୍ଗା ପହଞ୍ଚିବା ବେଳକୁ ସରୋଜ ସେଠାରେ ନଥିଲେ । ଏଥିପାଇଁ କଣ୍ଡକ୍ଟର୍ ଦୁଇ ଭାଇଙ୍କୁ ବୈଶିଙ୍ଗାରେ ଓହ୍ଲାଇବାକୁ ନଦେଇ ବସ୍ର ଶେଷ ଷ୍ଟପେଜ୍ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ନେଇଯାଇଥିଲେ । ଏପଟେ କିଛି ସମୟ ପରେ ସରୋଜ ବୈଶିଙ୍ଗାରେ ପହଞ୍ଚି ପିଲାମାନଙ୍କୁ ନପାଇ ଫୋନ୍ କରିବାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ୨ ଘଣ୍ଟା ପରେ ବସ୍ଟି ବୈଶିଙ୍ଗା ଫେରିବା ବେଳେ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ ସରୋଜ । ତେବେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହିତ ସରୋଜ ଓ ସ୍ଥାନୀୟ ଲୋକେ କଣ୍ଡକ୍ଟର୍ଙ୍କୁ ଘେରିଯାଇଥିଲେ ଏବଂ ବସ୍ କଣ୍ଡକ୍ଟର୍ ଙ୍କୁ ଉଠ୍ବସ୍ କରାଇବା ସହିତ ଭୁଲ୍ ମଗାଇ ଥିଲେ ।