ଦଶପଲ୍ଲାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬; ସଫଳ ଚାଷୀ ହେଲେ ପୁରସ୍କୃତ

ଦଶପଲ୍ଲା ଖମାରସାହି ଖେଳପଡ଼ିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ଅଞ୍ଚଳର ଶହ ଶହ ଚାଷୀ ସାମିଲ ହୋଇଥିଲେ। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ ଓ ହରିଶ୍ଚନ୍ଦ୍ର ଯାନୀ, ନୟାଗଡ଼ ସିଡ଼ିଭିଓ ଡଃ ବିଦ୍ୟୁତ ଶେଖର ମିଶ୍ର, ସିଡ଼ିଏଫ୍ଓ ସି.ଏଚ୍. ପଲ୍ଲବୀ ଏବଂ ଦଶପଲ୍ଲା ବିଭିଓ ଡଃ ପ୍ରଭୁଦତ୍ତ ପତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସରକାରୀ ଯୋଜନାର ଲାଭ ଉଠାଇ ଆତ୍ମନିର୍ଭରଶୀଳ ହେବାକୁ ଅତିଥିମାନେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।

ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ପ୍ରଦର୍ଶନୀ ଷ୍ଟଲ୍‌ଗୁଡ଼ିକରେ ଚାଷୀମାନଙ୍କୁ ଆଧୁନିକ ଚାଷ ପଦ୍ଧତି ଓ ବୈଷୟିକ ଜ୍ଞାନକୌଶଳ ବିଷୟରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ମତ୍ସ୍ୟ, ଦୁଗ୍ଧ, କୁକୁଡ଼ା ଓ ପଶୁପାଳନ କ୍ଷେତ୍ରରେ ସଫଳ ଚାଷୀଙ୍କୁ ନଗଦ ଅର୍ଥରାଶି ଓ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଶେଷ କରି ସଫଳ ଘୁଷୁରୀ ଚାଷୀ ଚିତ୍ତରଞ୍ଜନ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଅଧିକାରୀ ପଦ୍ମିନୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସମସ୍ତ ଏଲଟି ଓ ଏଲଆଇ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିଲା।