ଦଳକୁ ଫେରିବା ପରେ ଏବେ ମିଶନରେ ମୁକୁଲ, ଲେନ୍ସରେ ବିଜେପି ବିଧାୟକ ଓ ସାଂସଦ

କୋଲକାତା ୧୬।୬: ପଶ୍ଚିମବଙ୍ଗରେ ବିଜେପିର ସବୁ ଚାଲ ଏବେ ଓଲଟା ପଡୁଛି। ଗତ ବିଧାନସଭା ନିର୍ବାଚନରୁ ପାଇଥିବା ସଫଳତାକୁ ସିନ୍ଦୁକରେ ପୁରେଇ ରଖିବାକୁ କେନ୍ଦ୍ର ଓ ରାଜ୍ୟ ବିଜେପି ବୁଣୁଥିବା ଜାଲ ବି ଛିଣ୍ଡିଛିଣ୍ଡି ଯାଉଥିବା ଆକଳନ କରାଗଲାଣି। ନିଜ ଦଳକୁ ମୁକୁଲ ରାୟ ଫେରିବା ଏବେ ବିଜେପି  ଲାଗି ଘାତକ ସାବ୍ୟସ୍ତ ହେବାକୁ ଯାଉଛି। ମୁକୁଲ ଘର ଲେଉଟାଣୀ ପରେ ତାଙ୍କ ମିସନରେ ଲାଗି ପଡିଥିବାର ସୂଚନା ମିଳୁଛି। ସେ ବିଜେପିରେ କଟାଇଥିବା ଦୀର୍ଘ ୪ ବର୍ଷର ସମ୍ପର୍କକୁ ଏବେ ନିଜ ଦଳର ହୀତ ଲାଗି ଉପଯୋଗ ପାଇଁ ଲାଗିପଡିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି।

ଟାଇମ୍ସ ଅଫ ଇଣ୍ଡିଆଙ୍କ ଏକ ରିପୋର୍ଟ ଅନୁସାରେ ଏବେ ଦିନର ଅଧିକାଂଶ ସମୟ ମୁକୁଲ କୁଆଡେ ଫୋନରେ କଟାଉଛନ୍ତି। ଏଥିରେ ବିଜେପି ସାଥୀ ଓ ସହକର୍ମୀ ତାଙ୍କସହ ଯୋଗାଯୋଗରେ ରହୁଥିବା ଜଣାପଡିଛି। ଏଥିରୁ ରାଜ୍ୟ ବିଜେପିର ଅନୁନ୍ୟ ୨୫ରୁ ୩୦ ବିଧାୟକ ଏବେ ଟିଏମସି ପ୍ରତି ଲାଳାୟୀତ ଥିବାର ସୂଚନା ମିଳୁଛି। କେବଳ ବିଧାୟକ ନୁହନ୍ତି ପଶ୍ଚିମବଙ୍ଗର ୨ ଜଣ ଟାଣୁଆ ବିଜେପି ସାଂସଦ ମଧ୍ୟ ଆଶାୟୀଙ୍କ ତାଲିକାରେ ଥିବାର ଜଣାପଡିଲାଣି।

ଏଥିରୁ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳରେ ବିଜେପି ଚଳାଇଥିବା ଅପରେସନର ଏହା ଜବାବ ହୋଇପାରେ ବୋଲି ଏବେ ଆକଳନ କରାଗଲାଣି। ସେପଟେ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ବିଜେପି ଅତ୍ୟନ୍ତ ରକ୍ଷଣଶୀଳ ହୋଇପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତିର ଦ୍ୱାହୀ ଦେଇ ବିଧାୟକ ଓ ସାଂସଦଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟରେ ରଖିବା ଏବେ ଅନେକଙ୍କୁ ସ୍ୱଭାବିକ ଲାଗୁ ନାହିଁ। ଖାସ ଦଳର ଜଣେ ନେତାଙ୍କ ସୁରକ୍ଷା ନାମରେ ଏବେ ସବୁ ବିଧାୟକ ଓ ସାଂସଦଙ୍କ ସ୍ୱାଚ୍ଛନ୍ଦ୍ୟ ବନ୍ଧା ପଡିଯାଇଛି। ଯାହା ଏବେ ଦଳୀୟ ନେତାଙ୍କୁ ତୃଣମୂଳ ପ୍ରତି ଆକର୍ଷିତ କରୁଛି।ସେପଟେ ମୁକୁଲଙ୍କ ଅଭିସନ୍ଧି ଜାଣିସାରିଲାଣି ବିଜେପି। ଏବେ ଦଳର ଅସନ୍ତୁଷ୍ଟଙ୍କ ଉପରେ କଡା ନଜର ରଖୁଛି। ନିକଟରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବାହାନାରେ ୫୦ ଜଣ ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କୁ ଭେଟି ଯାଇଥିଲେ। ଦଳକୁ ରାଜ୍ୟରେ ୭୫ଟି ଆସନ ମିଳିଛି। ତେବେ ରାଜ୍ୟପାଳଙ୍କୁ ଭେଟିବା ବେଳକୁ ବିରୋଧୀ ଦଳ ନେତାଙ୍କ ସାଙ୍ଗରେ ତାଙ୍କୁ ମିସାଇ ୫୦ ଜଣ ଥିଲେ। ବାକି ବିଧାୟକଙ୍କୁ ନେଇ ଏବେ ଦଳରେ ଛନକା ପଶିଛି।

କିଏ ଦୂରରେ ଥିବା ଯୋଗୁ ଆସିପାରୁନଥିବା ତ ଆଉ କିଏ ଅସୁସ୍ଥତା ଦର୍ଶାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଯାଇ ପାରିନଥିଲେ। ତେବେ ଦଳ କୋଭିଡ କାରଣକୁ ନେଇ ସ୍ୱଳ୍ପ ସଂଖ୍ୟକ ବିଧାୟଙ୍କ ସହ ଏହି କାର୍ଯ୍ୟ କରିବାକୁ ଯୋଜନା କରିଥିଲା ବୋଲି କହିଥିଲା। ହେଲେ ବିରୋଧୀ ଦଳ ନେତାଙ୍କ ସହ ତାଙ୍କୁ ମିସାଇ ୫୦ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ଦଳ ଏବେ ବିଧାୟକଙ୍କ ଅନୁପସ୍ଥିତିର କାରଣ ଜାଣିବାକୁ ଚାହୁଁଥିବାର ସୂଚନା ମିଳୁଛି।  ଏଥିରେ ବିଜେପି ଛାଡି ପିତାଙ୍କ ସହ ମୂଳ ଟିଏମସିକୁ ଫେରିଥିବା ଶୁଭ୍ରାଂଶୁଙ୍କ ସୂଚନା ସତ୍ୟ ହେଉଥିବା ଆକଳନ କରାଗଲାଣି।

ଯଦି ଆକଳନ ସତ୍ୟ ପ୍ରମାଣିତ ହୁଏ ତେବେ ବେଙ୍ଗଲରେ ବିଜେପି ଆହୁରି କ୍ଷୀଣ ହେବା ନିଶ୍ଚିତ। ଏବେ ୨୫ରୁ ୩୦ ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଟିଏମସିର ମୂଳ ନେତା ମଧ୍ୟ ଫେରୁଛନ୍ତି। ଏଥିରୁ ବିଜେପିକୁ ବେଙ୍ଗଲ ଖେଳ ଏବେ ମହଙ୍ଗା ପଡିବ ବୋଲି ଏକ ପ୍ରକାର  ନିଶ୍ଚିତ ଦେଖାଗଲାଣି।