ଆକ୍ସନ୍ ମୋଡରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଦୁର୍ନୀତିମୁକ୍ତ ହେବ ପଞ୍ଜାବ
୨.୭୩ ଲକ୍ଷ କୋଟିର ଋଣ ଭାର ପାଲଟିଲା ବଡ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଶାଳ ବିଜୟ ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସିଂ ଆକ୍ସନ୍ ମୋଡକୁ ଆସିଛନ୍ତି । ତେବେ ସେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ଦୁର୍ନୀତିଗ୍ରସ୍ତ ନେତାମାନେ ଭୟଭୀତ ହେବାକୁ ଲାଗିଛନ୍ତି | ପଞ୍ଜାବରେ ଦୁର୍ନୀତିର ଅନ୍ତ ଘଟାଇବା ପାଇଁ ଭଗୱନ୍ତ ମାନ୍ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆଣିବାକୁ ଯାଉଛନ୍ତି।
- ଦୁର୍ନୀତିମୁକ୍ତ ହେବ ପଞ୍ଜାବ
ପଞ୍ଜାବରେ ଦୁର୍ନୀତି ଯାଞ୍ଚ ପାଇଁ ଦୁର୍ନୀତି ନିବାରଣ ହେଲ୍ପଲାଇନ ଜାରି କରାଯିବ ବୋଲି ଆଜି ସିଏମ ମାନ କହିଛନ୍ତି। ଭଗବତ ସିଂଙ୍କ ଶହୀଦ ଦିବସରେ ଏହି ହେଲ୍ପଲାଇନ ଜାରି ହେବ | ହେଲ୍ପଲାଇନ ରିଲିଜ୍ ହେବା ପରେ ପଞ୍ଜାବର ଲୋକମାନେ ହ୍ୱାଟ୍ସ ଆପ୍ ଜରିଆରେ ଦୁର୍ନୀତିର ଅଭିଯୋଗ ପଠାଇ ପାରିବେ।
- ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ
କେବଳ ଏତିକି ନୁହେଁ, ପଞ୍ଜାବର ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ଅଭିଯୋଗ ଏହି ହେଲ୍ପଲାଇନ ମାଧ୍ୟମରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିକଟରେ ପହଞ୍ଚିବ | ମାର୍ଚ୍ଚ ୨୩ରେ ଭଗତ ସିଂଙ୍କ ଶହୀଦ ଦିବସରେ ପଞ୍ଜାବ ସରକାର ଦୁର୍ନୀତି ନିବାରଣ ହେଲ୍ପଲାଇନ ପାଇଁ ଏହି ନମ୍ବର ପ୍ରକାଶ କରିବେ।
- ବନ୍ଦ ହେବ ନେତାଙ୍କ ସାପ୍ତାହିକ ଆଦାୟ
ଦୁର୍ନୀତି ନିବାରଣ ହେଲ୍ପଲାଇନ ବିଷୟରେ ସୂଚନା ଦେଇ ସିଏମ ମାନ କହିଛନ୍ତି ଯେ ୯୯% ଲୋକ ସଚ୍ଚୋଟ, ୧% ଲୋକ ଦୁର୍ନୀତିଗ୍ରସ୍ତ କାରଣରୁ ସିଷ୍ଟମ ବିଗିଡ଼ି ଥାଏ । ସେ କହିଥିଲେ ଯେ, ସେ ସର୍ବଦା ସଚ୍ଚୋଟଙ୍କ ସହ ଛିଡା ହୋଇଛନ୍ତି। ମାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜାବର ଉନ୍ନତି ପାଇଁ ଏଠାରେ ପ୍ରଥମେ ସାପ୍ତାହିକ ଆଦାୟ ବନ୍ଦ ହେବ। ଏଣିକି କୌଣସି ନେତା ସାପ୍ତାହିକ ଆଦାୟ ତଥା ସାଧାରଣ ଲୋକଙ୍କୁ ଏହି ମାଧ୍ୟମରେ ଡରେଇ ରଖିପାରିବେ ନାହିଁ ।
- ୨.୭୩ ଲକ୍ଷ କୋଟିର ଋଣ ଭାର
ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ ପାଲଟିଛି ଋଣ ଭାର । କାରଣ ନିର୍ବାଚନ ପୂର୍ବରୁ ତାଙ୍କ ତରଫରୁ ଘୋଷଣା ହୋଇଥିବା ଇସ୍ତାହାରକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କିପରି ପୂରଣ କରିବେ ସେ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ।୨୦୨୨ ବିଧାନସଭା ନିର୍ବାଚନରେ ସବୁ ଦଳକୁ ମାତ୍ ଦେଇ ମୋଟ ୧୧୭ଟି ଆସନରୁ କେବଳ ଆପ୍ ୯୨ଟି ସିଟରେ ବିଜୟ ହାସଲ କରିଛି ।
ତେବେ ପଞ୍ଜାବ ଉପରେ ବର୍ତ୍ତମାନ ରହିଛି ୨.୭୩ ଲକ୍ଷ କୋଟିର ଋଣ । ୫ ବର୍ଷ ପୂର୍ବରୁ ଯେତେବେଳେ କଂଗ୍ରେସ ସତ୍ତାରେ ଥିଲା ସେ ସମୟରେ ରାଜ୍ୟ ଉପରେ ୧.୮୨ ଲକ୍ଷ କୋଟିର ଋଣ ଭାର ଥିଲା । ଗତ ୧୦ ବର୍ଷ ମଧ୍ୟରେ ପଞ୍ଜାବ ଉପରେ ପ୍ରାୟ ୨ ଲକ୍ଷ କୋଟିର ଋଣ ଭାର ବଢିଛି । ଏବେ ଏହି ଋଣ ଭାର ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନିର୍ବାଚନ ପୂର୍ବରୁ ଆପ୍ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାଜ୍ୟ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଘୋଷଣା କରିଥିଲେ ।
- ପଞ୍ଜାବ ନିର୍ବାଚନ ସମୟରେ ପ୍ରତିଶୃତି
ଏହି ଇସ୍ତାହାରରେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଣ, ୧୮ ବର୍ଷରୁ ଉର୍ଦ୍ଧ ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଭତ୍ତା ଦେବାକୁ ଘୋଷଣା କରାଯାଇଥିଲା । ତେବେ ଯଦି ଏହି ୨ଟି ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ପୂରଣ କରନ୍ତି ତେବେ ରାଜ୍ୟ ଉପରେ ବାର୍ଷିକ ୨୦ରୁ ୨୨ ହଜାର କୋଟି ଟଙ୍କାର ଋଣ ବୋଝ ପଡିବ ବୋଲି ସୂଚନା ମିଳୁଛି । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା ପଞ୍ଜାବରେ ନିଜ ପ୍ରତିଶୃତି କିପରି ପୂରଣ କରୁଛନ୍ତି