ପୁରୀ/ଜୟନ୍ତ କୁମାର ସେଠି: ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ । ଏହି ଅପରାଧ ମୂଳକ କାଣ୍ଡ ଘଟାଇଥିବା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । । ସୂଚନା ଅନୁସାରେ ରାତିରେ ୧୦ରୁ ଅଧିକ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ବାସେଳୀ ସାହି ଥାନା ଅଧିନ ନିଳକଣ୍ଠ ନଗରର ରାକେଶ ମହାପାତ୍ର, ପଣା ପ୍ରିୟା ଲେନ୍ ର ସନ୍ତୋଷ କୁମାର ମହାନ୍ତି, ଥାନପତି ନଗରର ନିର୍ମଳ କୁମାର ପ୍ରଧାନ, ହାତିଶାଳର ସୁଜିତ କୁମାର ମହାନ୍ତି ଓ କଟକ ନରସିଂହପୁରର ଶ୍ରୀକାନ୍ତ କୁମାର ପର୍ବତ। ଏମାନଙ୍କ ଠାରୁ ପୋଲିସ ୩ଟି ଖଣ୍ଡା, ୩ଟି ମୋଟର ସାଇକେଲ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି। ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ଗୁଡିଆ ସାହିର ମଧୁସୂଦନ ପତ୍ରୀଙ୍କୁ ଅଭିଯୁକ୍ତ ମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡାଙ୍କୁ ଗୋଟାଳିରେ ଆକ୍ରମଣ କରିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଭୁଜାଲି ଚୋଟରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ତେବେ ଆକ୍ରମଣର ଶିକାର ହୋଇଥିବା କାଶୀନାଥ ପ୍ରତିହାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ଆଜି ତିନି ଜଣିଆ ଟିମ୍ ଗଠନ ହୋଇଥିଲା। ଅଭିଯୁକ୍ତ ମାନେ ଆଜି ପୁରୀ ଛାଡ଼ି ବାହାର ଜିଲ୍ଲାକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି।