ଡୋମିନିକା: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମ ଦିନରେ ବିପକ୍ଷ ଟିମକୁ ଧୂଳି ଚଟାଇଛି ରୋହିତ ଶର୍ମାଙ୍କ ଟିମ୍ । ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଛନ୍ତି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪.୩ ଓଭରରେ ୧୫୦ ରନ୍ କରି ଅଲଆଉଟ୍ ହୋଇଛି । ଜବାବରେ ଟିମ୍ ଇଣ୍ଡିଆ ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ବିନା ଓ୍ଵିକେଟ ହରାଇ ୮୦ ରନ୍ କରିଛି । ଏହି ମ୍ୟାଚରେ ଭାରତର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ ରେକର୍ଡ କରିଛନ୍ତି । ଏହି ମ୍ୟାଚରେ ପ୍ରଥମ ଇନିଂସର ପ୍ରଥମ ୱିକେଟ ହାସଲ କରି ରେକର୍ଡ କରିଛନ୍ତି ଅଶ୍ୱିନ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ ଦଳ ପ୍ରଦର୍ଶନ କରିଥିଲା । ଅଶ୍ୱିନ ୱେଷ୍ଟଇଣ୍ଡିଜ ଦଳର ଷ୍ଟାର ଓପନର ଟାଗନାରାୟଣ ଚନ୍ଦ୍ରପାଲଙ୍କୁ ଆଉଟ୍ କରିଥିଲେ । ଇନିଂସର ୧୩ତମ ଓଭରର ପଞ୍ଚମ ବଲରେ ୨୭ ବର୍ଷୀୟ ଚନ୍ଦ୍ରପାଲଙ୍କୁ ଆଉଟ କରି ପାଭିଲିୟନ ପଠାଇ ଦେଇଥିଲେ । ୪୪ ବଲରୁ ୧୨ ରନ କରିଥିବା ଚନ୍ଦ୍ରପାଲ ଅଶ୍ୱିନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଏହି ୱିକେଟ ସହ ତାଙ୍କ ନାମରେ ଯୋଡି ହୋଇଛି ବିଶ୍ୱର ବିରଳ ରେକର୍ଡ । କୌଣସି ଦଳ ବିପକ୍ଷରେ ବାପା ଏବଂ ପୁଅଙ୍କୁ ଆଉଟ କରିବାର ରେକର୍ଡ ଏବେ ଅଶ୍ୱିନଙ୍କ ନାମରେ ଲେଖା ହୋଇଛି । ଅଶ୍ୱିନ ପ୍ରଥମ ବୋଲର ଭାବରେ ବାପା ଏବଂ ପୁଅଙ୍କ ୱିକେଟ ନେବାରେ ସଫଳ ହୋଇଛନ୍ତି । ଗତ ୨୦୧୧ ମସିହାରେ ଦିଲ୍ଲୀରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ଅଶ୍ୱିନ ଟାଗନାରାୟଣ ଚନ୍ଦ୍ରପାଲଙ୍କ ବାପା ଶିବନାରାୟଣ ଚନ୍ଦ୍ରପାଲଙ୍କ ୱିକେଟ ହାସଲ କରିଥିଲେ । ସେହି ମ୍ୟାଚରେ ଅଶ୍ୱିନ ଶିବନାରାୟଣଙ୍କୁ ଏଲବିଡବ୍ଲୁ କରି ପାଭିଲିୟନ ପଠାଇଥିଲେ ।
ପ୍ରଥମ ଦିନ ମ୍ୟାଚରେ ଅଶ୍ୱିନ ୨୪.୩ ଓଭର ବୋଲିଂ କରି ୬୦ ରନ୍ ଦେଇଥିବା ବେଳେ ୫ ଓ୍ଵିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଅଶ୍ୱିନ ୩୩ ଥର ୫ରୁ ଅଧିକ ଓ୍ଵିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଅଶ୍ୱିନ ଅର୍ନ୍ତଜାତୀୟ କ୍ୟାରିଅରରେ ୭୦୦ ଓ୍ଵିକେଟ ହାସଲ କରିଛନ୍ତି । ସେ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇଛନ୍ତି । ଆଣ୍ଡରସନ ୧୮୧ ଟେଷ୍ଟରେ ୩୨ଥର ୫ରୁ ଅଧିକ ଓ୍ଵିକେଟ ନେଇଛନ୍ତି । ଏହି ଲିଷ୍ଟରେ ରଙ୍ଗନା ହେରାଥ, ଅନିଲ କୁମ୍ବଲେ, ରିଚାର୍ଡ ହେଡଲୀ, ଶେନ ଓ୍ଵାର୍ଣ୍ଣ, ମୁଥୈୟା ମୁରଲୀଧରନ ଏବେ ଅଶ୍ୱିନଙ୍କ ଉପରେ ରହିଛନ୍ତି ।