ଭୁବନେଶ୍ୱର (ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରକଳ୍ପରେ ହେଉଥିବା ଦୁର୍ନୀତି ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ଅପାରଗତା ଦର୍ଶାଇବା ସହ ସ୍ୱଚ୍ଛ ଶାସନର ମୁଖା ଖୋଲିଛନ୍ତି ଶ୍ରୀମତି ଷଡ଼ଙ୍ଗୀ ।
ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଆଳରେ କୋଟି କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ମାତ୍ର ଜଣେ ଆଇଏଏସ୍ ଅଧିକାରୀଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି । ଯାହାକୁ ନେଇ ଶ୍ରୀମତି ଷଡ଼ଙ୍ଗୀ କଡ଼ା ନିନ୍ଦା କରିବା ସହ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜଣେ ଆଇଏଏସ୍ ଅଧିକାରୀ ପୂର୍ତ୍ତବିଭାଗ ସଚିବ, ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଏବଂ ଶ୍ରୀ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେଟର ପରି ୩ଟି ବଡ଼ ବଡ଼ ପଦବୀରେ ଅବସ୍ଥାପିତ ହେବା ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କୌଣସି ସଂଯୋଗ ନୁହେଁ, ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ।

ଜଣେ ଅଧିକାରୀ ହୋଇ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରିବା. ଫଣ୍ଡସ ରିଲିଜ କରିବା, ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା । ଏହା ଅସଂଗତ ହେଲେ ବି ରାଜ୍ୟ ସରକାର ଏଥିପ୍ରତି କାହିଁକି ଆଖି ବନ୍ଦ କରିଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ତେଣୁ ଜଣେ ଆଇଏଏସ ଅଧିକାରୀ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି କାର୍ଯ୍ୟ କରିବା ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରୁଛି । ତେଣୁ ସୁଚିନ୍ତିତ ଯୋଜନା ଦ୍ୱାରା ଏପରି କାର୍ଯ୍ୟ କରାଯାଉଛି । ଏନେଇ ଶ୍ରୀମତି ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରି ଏହାର ଉତ୍ତର ମାଗିଛନ୍ତି ।

ଏନେଇ ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟଙ୍କ ଏକ ଆଦେଶର କପି ଦ୍ୱାରା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶାନୁସାରେ, କୌଣସି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଜଣେ ଫୁଲ-ଟାଇମ ଚିଫ ଆଡମିନିଷ୍ଟ୍ରେଟର ନିଯୁକ୍ତ କରିପାରନ୍ତି । କିନ୍ତୁ ତାଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କେଉଁ ପରିସ୍ଥିତିରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଅମାନ୍ୟ କରି ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ୩ଟି ପଦବୀରେ ଅବସ୍ଥାପିତ କରିଛନ୍ତି । ଏଥିରେ କାହାର ପ୍ରଚ୍ଛନ୍ନ ହାତ ବା ସ୍ୱାର୍ଥ ରହିଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି ।

ଅପରପକ୍ଷେ. ରାଜ୍ୟରେ କଣ ଆଇଏଏସ୍ ଅଧିକାରୀଙ୍କ ଅଭାବ ରହିଛି କି ବୋଲି ରାଜ୍ୟବାସୀ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ୬୧ଟି ପଦବୀ ପୂରଣ କରି ଆଇଏଏସଙ୍କ ଅଭାବ ଦୂର କରିବାକୁ ସରକାରୀ କାର୍ଯ୍ୟର ସୁପରିଚାଳନା କରିବା ଦିଗରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଦାବି ହେଉଛି ।