ଆସୁଛି ଆଉ ଏକ ବଡ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ । ଆସୁଛି ଆଉ ଏକ ବଡ ଲଘୁଚାପ । ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଗାଙ୍ଗେତିକ୍ ପଶ୍ଚିମବଙ୍ଗ ସଂଲଗ୍ନ ଝାରଖଣ୍ଡ ଓ ଉତ୍ତର ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଫଳରେ ୫ରୁ ୭ ଦିନ ଜାରି ରହିବ ଲଗାଣ ବର୍ଷା ।
ସୂଚନା ଅନୁଯାୟୀ, ବଙ୍ଗୋପସାଗରାର ସକ୍ରିୟ ହୋଇଛି ଆଉ ଏକ ଘୁର୍ଣ୍ଣିବଳୟ । ଏହି ଘୁର୍ଣ୍ଣିବଳୟ ଘନିଭୂତ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ , ଉତ୍ତର ଓଡିଶା ନିକଟରେ ସକ୍ରିୟ ହୋଇଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଯାହା ଫଳରେ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରପଡା, ନୂଆପଡା, ସୋନପୁରରେ ପ୍ରବଳ ବର୍ଷା ସମ୍ଭାବନା । ଫଳରେ ଏହି ସ୍ଥାନ ଗୁଡିକରେ ୫ରୁ ୭ ଦିନ ଲଗାଣ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ବର୍ତ୍ତମାନ ସୁର୍ଦ୍ଧା ୬୦୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏବେ ବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି ।