ସର୍ବଦଳୀୟ ବୈଠକ: ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା

ଭୁବନେଶ୍ଵର: ଶେଷ ହେଲା ସର୍ବଦଳୀୟ ବୈଠକ । ବୈଠକରେ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ । ଗୃହରେ ଦ୍ୱିତୀୟ ଦିନ ଆସିବ ଅତିରିକ୍ତ ବଜେଟ୍ । ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ ବାଚସ୍ପିତଙ୍କ ଗୁରୁତ୍ୱ । ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହ କଲେ ଆଲୋଚନା । ଶାସକ ଦଳ ଭଳି ବିରୋଧୀ ଦଳକୁ ସମାନ ସମୟ ଦେବାକୁ ଦାବି । ସନ୍ଧ୍ୟାରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେବ ରଣନୀତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ନେଇ ବ୍ଲୁବୁକ୍ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି ।