ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ମନୋରଞ୍ଜନ ଶିଳ୍ପ ଗତ କିଛିଦିନ ହେବ ଖରାପ ସମୟ ଦେଇ ଗତି କରୁଛି । କିଛିଦିନ ତଳେ ଟେଲିଭିଜନ ତାରକା ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ହିନ୍ଦୀ ମେଗା ଧାରାବାହିକ ସାରା ଭାଇ ଭର୍ସେସ ସାରା ଭାଇର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ । ୩୨ ବର୍ଷିୟା ବୈଭବୀ ଏହି ଧାରାବାହିକରେ ଜଷ୍ଟିନ ଭୂମିକାରେ ଅଭିନୟ କରୁଥିଲେ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ବନ୍ଧୁ ପରିଜନ ଏବଂ ଟେଲି ଇଣ୍ଡଷ୍ଟ୍ରି କଳାକାରଙ୍କ ଭିଡ଼ ଜମୁଛି ।
ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ସଡ଼କ ଦୁର୍ଘଟଣାରେ ବୈଭବୀଙ୍କ ପରଲୋକ ହୋଇଛି । ତେବେ ବୈଭବୀ ତାଙ୍କ ଭାବି ସ୍ୱାମୀଙ୍କ ସହିତ କାରରେ ଫେରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ହୋଇଛି । ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଶବକୁ ଆଣି ମୁମ୍ବାଇରେ ପହଞ୍ଚିଛନ୍ତି । ଏଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତ ୪ ଦିନ ମଧ୍ୟରେ ୫ଜଣ ସେଲିବ୍ରେଟିଙ୍କର ଅଚାନକ୍ ମୃତ୍ୟୁ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।