Viral Video: ଦ୍ରୁତ ଗତି ମହାବିପତ୍ତି, ଆଖି ପିଛୁଳାକେ ଚାଲିଗଲା ୩ ଜୀବନ

0

ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେପରି ‘ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍’, ସ୍ପିଡ୍ ଲିମିଟ୍ ନିର୍ଦ୍ଧାରଣ, ପୁରୁଣା ଗାଡ଼ି ସିଜ୍ ସହ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲେ ବି ଲୋକେ ସୁଧୁରୁ ନାହାନ୍ତି । ଅଧିକ ବେଗରେ ଗାଡ଼ି ଚଳାଇବା ଯୋଗୁଁ ଅକାଳରେ ଜୀବନ ଚାଲିଯାଉଛି । ନିକଟରେ ତେଲେଙ୍ଗାନାର ଖମ୍ମାମରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦ୍ରୁତ ଗତିରେ ବାଇକ୍ ଚଲାଇବା ଦ୍ୱାରା ବାଇକ ଆରୋହୀଙ୍କ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତାରେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ରାସ୍ତା କଡରେ ଏକ ଟ୍ରକ ମଧ୍ୟ ଛିଡା ହୋଇଛି । ସେହି ସମୟରେ ଏକ ସ୍କୁଟି ସେଠାରେ ଅତିକ୍ରମ କରୁଛି । ପଛରୁ ଆଉ ଏକ ବାଇକ୍ ଆସୁଛି । ଏଥିରେ ୩ ଜଣ ବସିଥିବାର ନଜର ଆସୁଛନ୍ତି । ବାଇକଟି ଦ୍ରୁତ ଗତିରେ ଆସି ଅନିୟନ୍ତ୍ରିତ ହୋଇ ଟ୍ରକକୁ ପଛରୁ ଧକ୍କା ଦେଉଛି ।

ଖୁବ୍ ଜୋରରେ ଧକ୍କା ହେବା ପରେ ବାଇକରେ ଥିବା ୩ ଜଣ ଛିଟକି ପଡୁଛନ୍ତି । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରୁଛି । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।