ଭୁବନେଶ୍ୱର : ରାଜ୍ୟବାସୀଙ୍କ ସେବାରେ ନବୀନ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଲୋକମାନେ କିଭଳି ଭାବେ ସରକାରଙ୍କ ଦ୍ୱାରା ଉପକୃତ ହୋଇପାରିବେ ସେହି ଦିଗରେ ଅନବରତ କାର୍ୟ୍ୟ କରୁଛନ୍ତି । ମାଗଣା ଚାଉଳ ସେବା ହେଉ କି ପାଇପ ଯୋଗେ ପାଣି ସବୁ କିଛି ମାଗଣାରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହା ସହିତ ସ୍ୱଚ୍ଛତା କୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଯେତେ ବେଳେ ସ୍ୱଚ୍ଛତା ବିଷୟରେ କୁହାଯାଉଛି ଏହାଭିତରେ ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଯାହା ରାଜ୍ୟବାସୀଙ୍କ ପାଇଁ ବେଶ ଲାଭଦାୟକ ବୋଲି ଚର୍ଚ୍ଚା ହେଉଛି ।
ଆପଣ ରାଜ୍ୟର କୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି କିଛି କିଛି ସ୍ଥାନରେ ଶୌଚାଳୟ ସେବା ଉଠାଇବାକୁ ଅର୍ଥ ରାଶି ଦେବାକୁ ପଡଥାଏ । କେଉଁଠାରେ ପରିସ୍ରା କାଇଁ ୫ଟଙ୍କ ଅର୍ଥ ଦେବାକୁ ପଡୁଥିବା ବେଳେ ଶୌଚ ପାଇଁ ୧୦ ଟଙ୍କା ଅର୍ଥ ରାଶି ଦେବାକୁ ପଡିଥାଏ ।ସାଧାରଣ ଜନତାଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଙ୍କି ମାରିଥାଏ କିଛି କିଛି ସ୍ଥାନରେ ଶୌଚାଳୟ ଦେୟ ମୁକ୍ତ ଥିବା ବେଳେ କିଛି ସ୍ଥାନରେ କାହିଁକି ଟଙ୍କା ଦେବାକୁ ପଡେ । ତେବେ ଏହି ସବୁ ପ୍ରଶ୍ନ ଉପରେ ବର୍ତ୍ତମାନ ରାଜ୍ୟ ସରକାର ବିରାମ ଲଗାଇଛନ୍ତି ।
ଏଣିକି ଆପଣ ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟ ପାଇଁ ଆପଣଙ୍କୁ ଟଙ୍କାଟିଏ ମଧ୍ୟ ଦେବାକୁ ପଡିବ ନାହିଁ । ଏବେ ଆପଣ ମାଗଣାରେ ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଏଥିପାଇଁ ନୂଆ ନିର୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ପବ୍ଲିକ ଓ କମ୍ୟୁନିଟି ଟଏଲେଟଗୁଡ଼ିକ ସମ୍ମୁଖରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଡିସପ୍ଲେ ବୋର୍ଡ ଅବା କାନ୍ଥଲେଖା ରହିବ । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋଚିତ୍ର ସହ ‘ମାଗଣା ଶୌଚାଳୟ ଉପଯୋଗ ’ ଲେଖିବା ପାଇଁ ରାଜ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଶୌଚାଳୟ ପରିଚାଳନା ଓ ଡିସପ୍ଲେ ବୋର୍ଡ ସମସ୍ତ ଖର୍ଚ୍ଚ ସ୍ୱଚ୍ଛ ଭାରତ ମିଶନ(ସହରାଂଚଳ) ପାଣ୍ଠିରୁ ଭରଣା କରାଯିବ ।ଆଉ ଯଦି କେହି ଶୌଚାଳୟ ଉପଯୋଗ ପାଇଁ ୟୁଜର୍ସ ଫି ଦାବି କରୁଛନ୍ତି, ତା’ହେଲେ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବର-୦୬୭୪ ୨୩୯୧୩୯୫ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।