ଗାଡି ବଜାରରେ ସୁଧାରର ସଙ୍କେତ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଗାଡ଼ି ବଜାରରେ ସୁଧାରର ସଙ୍କେତ ଦେଖିବାକୁ ମିଳିଛି। ଅନେକ ମାସ ପର୍ୟ୍ୟନ୍ତ ଗାଡ଼ି ବିକ୍ରି ହ୍ରାସ ପାଇବା ପରେ ସେପ୍ଟେମ୍ବରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗତ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଅଧିକ ଗାଡ଼ି ବିକ୍ରି ହୋଇଛି। ପ୍ରାୟ ସବୁ ପ୍ରମୁଖ କଂପାନି ସେପ୍ଟେମ୍ବରରେ ଅଧିକ ଗାଡ଼ି ବିକିଛନ୍ତି। ମାତ୍ର ବିକ୍ରି ଚିତ୍ରକୁ ଯଦି ୨୦୧୮ର ସେପ୍ଟେମ୍ବର ସହ ତୁଳନା କରାଯିବ ତେବେ ଏବେବି ଭାରତର ଗାଡ଼ି ବଜାର ଚାପ ମଧ୍ୟରେ ରହିଛି ବୋଲି କୁହାଯାଇପାରିବ।
ଚଳିତ ବର୍ଷ ସେପ୍ଟେମ୍ବରରେ ମାରୁତି ସୁଜୁକି ୧ ଲକ୍ଷ ୨୨ ହଜାରରୁ ଅଧିକ ଗାଡ଼ି ବିକ୍ରି କରିଛି। ଗତ ଅଗଷ୍ଟରେ ଏହା ୧ ଲକ୍ଷ ୬ ହଜାର ପାଖାପାଖି ଗାଡ଼ି ବିକ୍ରି କରିଥିଲା। ମାସକ ଭିତରେ ଏହା ୧୬ ହଜାରରୁ ଅଧିକ ଗାଡ଼ି ବିକ୍ରି କରିବା ଗାଡ଼ି ବଜାରରେ ସୁଧାରର ପ୍ରାରମ୍ଭିକ ସଙ୍କେତ ବୋଲି କୁହାଯାଇଛି। ମାତ୍ର ୨୦୧୮ର ସେପ୍ଟେମ୍ବର ତୁଳନାରେ କଂପାନିର ଗାଡ଼ି ବିକ୍ରି ୨୪% ହ୍ରାସ ପାଇଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସେପ୍ଟେମ୍ବରରେ ୪୩,୩୪୩ଟି ଗାଡ଼ି ବିକ୍ରି କରିଛି। ଗତ ଅଗଷ୍ଟରେ କଂପାନି ଏହା ଠାରୁ କମ୍ ୩୬,୦୮୫ଟି ଗାଡ଼ି ବିକିଥିଲା। ମାତ୍ର ଗତବର୍ଷ ତୁଳନାରେ କଂପାନିର ଗାଡ଼ି ବିକ୍ରି ୨୧% ହ୍ରାସ ପାଇଛି। ଟାଟା ମୋଟର୍ସ୍ ସେପ୍ଟେମ୍ବରରେ ୩୨,୩୭୬ଟି ଗାଡ଼ି ବିକ୍ରି କରିଛି। ଗତବର୍ଷ ତୁଳନାରେ କଂପାନିର ବିକ୍ରି ୫୦% ହ୍ରାସ ପାଇଛି। ଏମ୍ଜି ମୋଟର୍ସ ଏହି ମାସରେ ୨୬୦୮ଟି ହେକ୍ଟର ବିକ୍ରି କରିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ହୁଣ୍ଡାଇ ୪୦,୭୦୫ଟି କାର୍ ବିକ୍ରି କରିଥିବା ବେଳେ ଟୟୋଟା ୧୦,୨୦୩ଟି ଗାଡ଼ି ବିକିଛି। ଗତବର୍ଷ ତୁଳନାରେ ଉଭୟ କଂପାନିର ବିକ୍ରି ଯଥାକ୍ରମେ ୧୪.୮% ଓ ୧୮% କମିଛି। ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ ଚଳିତ ବର୍ଷ ସେପ୍ଟେମ୍ବରରେ ୯୩୦୧ଟି ଗାଡ଼ି ବିକ୍ରି କରିଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ କଂପାନିର ବିକ୍ରି ୩୭.୨୪% ହ୍ରାସ ପାଇଛି।