ଏଣିକି ରାତିରେ ବଢ଼ିବ ତାପମାତ୍ରା; ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ନେଇ ସତର୍କତା ଜାରି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ସହିତ ରବିବାର ଭୋର ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଦେଖାଦେଇପାରେ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏହା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ଗୋଟିଏ ଦିନ ପାଇଁ କୁହୁଡ଼ି ସମ୍ବନ୍ଧୀୟ ପୂର୍ବାନୁମାନ ଜାରି କରାଯାଇଛି, ଯାହା ନଭେମ୍ବର ୨୯ ତାରିଖ ସକାଳ ୮.୩୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ସୋନପୁର ଏବଂ ଢେଙ୍କାନାଳ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଭୋର ଓ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ।

କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମିପାରେ, ତେଣୁ ଏହି ଜିଲ୍ଲାଗୁଡ଼ିକରେ ସକାଳ ସମୟରେ ଗାଡ଼ି ଚଳାଚଳ କରୁଥିବା ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।