ଓଡ଼ିଶାରେ ୬ମାସ ମଧ୍ୟରେ ଟ୍ରାଫିକ୍ ଜରିମାନା ବାବଦକୁ ୨୬୪.୬୬ କୋଟି ଟଙ୍କା ଆଦାୟ

ସଡ଼କ ସୁରକ୍ଷା ପାଇଁ ୬୬.୭୧ କୋଟି ଟଙ୍କା ଖର୍ଚ୍ଚ

ଭୁବନେଶ୍ୱର: ଓଡ଼ିଶାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀମାନେ ମାତ୍ର ଛଅ ମାସ ମଧ୍ୟରେ ଜରିମାନା ବାବଦକୁ ୨୬୪.୬୬ କୋଟି ଟଙ୍କା ପୈଠ କରିଛନ୍ତି। ଏଥିରୁ ରାଜ୍ୟବ୍ୟାପୀ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବା ସ୍ପଷ୍ଟ ହୋଇଛି।

ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ଓଡ଼ିଶା ସରକାର ଟ୍ରାଫିକ୍ ଜରିମାନା ବାବଦକୁ ୨୬୪ କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଏହି ଆଦାୟ ପରିମାଣ ଯଥେଷ୍ଟ ଅଧିକ ଅଟେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀମାନେ ଚଳିତ ଥର ପ୍ରାୟ ଦ୍ୱିଗୁଣିତ ପରିମାଣର ଜରିମାନା ଦେଇଛନ୍ତି।

ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ପୂର୍ବ ବର୍ଷର ସମାନ ଅବଧିରେ ୧୩୧.୫୫ କୋଟି ଟଙ୍କା ଟ୍ରାଫିକ୍ ଜରିମାନା ଆଦାୟ କରିଥିବା ବେଳେ, ଚଳିତ ବର୍ଷର ସମାନ ଅବଧିରେ ଏହି ପରିମାଣ ୧୩୨.୪୩ କୋଟି ଟଙ୍କାରେ ପହଞ୍ଚିଛି। ସରକାର ଟ୍ରାଫିକ୍ ଜନିତ ଜୋରିମାନାରୁ ମିଳିଥିବା ରାଜସ୍ୱର ଏକ ଅଂଶକୁ ସଡ଼କ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ମଧ୍ୟ ବ୍ୟବହାର କରିଛନ୍ତି।

ରାଜ୍ୟବ୍ୟାପୀ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକର ସୁଧାର ଏବଂ ଟ୍ରାଫିକ୍ ଭିତ୍ତିଭୂମିର ଉନ୍ନତି ପାଇଁ ୬୬.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ବ୍ୟତୀତ, ଟ୍ରାଫିକ୍ ଉପରେ ନଜର ରଖିବା ଏବଂ ନିୟମ କଡ଼ାକଡ଼ି ପାଳନ କରାଇବା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ‘ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍’ କ୍ୟାମେରା ଏବଂ ଗତି ମାପକ ଯନ୍ତ୍ର କିଣିବା ପାଇଁ ୧୮.୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।