ପୁରୀ ଠାରୁ ୪୯୦ କିମି, ଗୋପାଳପୁର ୪୩୦ କିମି ଦୂରରେ ଭୀଷଣ ବାତ୍ୟା ‘ଅକଭାନ୍’; ରେଡ୍ ମେସେଜ୍ ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍’ (Akvan) ଉପକୂଳ ଆଡ଼କୁ ଅଧିକ ଅଗ୍ରସର ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ବର୍ତ୍ତମାନ ଏହା ପୁରୀଠାରୁ ଦକ୍ଷିଣ ଦିଗରେ ୪୯୦ କିଲୋମିଟର ଏବଂ ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୪୩୦ କିଲୋମିଟର ଦୂରରେ ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ଛଅ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି। ପୂର୍ବାହ୍ନ ୧୧:୩୦ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ, ୧୫.୪° ଉତ୍ତର ଅକ୍ଷାଂଶ ଏବଂ ୮୫.୨° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ସେହି ସମୟରେ, ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୩୯୦ କିଲୋମିଟର, କଳିଙ୍ଗପାଟନମ୍‌ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୩୫୦ କିଲୋମିଟର ଏବଂ ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା।

ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୨୦ ନଭେମ୍ବର ୨୦୨୬ ମଧ୍ୟାହ୍ନ ସୁଦ୍ଧା, ଏହା ନରସାପୁର ଓ ପୁରୀ ମଧ୍ୟରେ (ଗୋପାଳପୁର ନିକଟରେ) ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିପାରେ, ଯାହା ଝଡ଼ବେଗରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।ବାତ୍ୟାର ଆଗମନକୁ ଦୃଷ୍ଟିରେ ରଖି ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଏକ ‘ବାତ୍ୟା ଚେତାବନୀ’ (ରେଡ୍ ମେସେଜ୍) ଜାରି କରାଯାଇଛି।