(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଟିକସ ସଂଗ୍ରହ ବୃଦ୍ଧି ସହ ଆୟକରଦାତାଙ୍କ ସଂଖ୍ୟା ବଢ଼ାଇବାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି)ର ନୂଆ ଅଧ୍ୟକ୍ଷ ପି.ସି.ମୋଦି ଆୟକର ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ଟିକସଦାତାଙ୍କ ଅସୁବିଧାକୁ ବୁଝି ସେମାନଙ୍କ ଅଭିଯୋଗ ଦୂର କରିବା ଲାଗି ଆୟକର ଅଧିକାରୀମାନଙ୍କୁ ନିଜ କାର୍ୟ୍ୟରେ ସ୍ବଚ୍ଛତା ଆଣିବା ସହ ଉତ୍ତରଦାୟୀ ହେବାକୁ ପଡିବ ବୋଲି ସେ କହିଛନ୍ତି। ଗତ ୨୬ରେ ଲେଖିଥିବା ପତ୍ରରେ ନୂଆ ଅଧ୍ୟକ୍ଷ ମୋଦି କହିଛନ୍ତି ଯେ, ରାଜସ୍ବ ଆଦାୟ ବୃଦ୍ଧି କରିବା ସମସ୍ତଙ୍କର ପ୍ରାଥମିକତା ହେବା ଆବଶ୍ୟକ। ଏଥିସହି ଟିକସଦାତାଙ୍କ ସଂଖ୍ୟାକୁ ବ୍ୟାପକ ହାରରେ ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ସିବିଡିଟିର ନୂଆ ଅଧ୍ୟକ୍ଷ ମୋଦି ଚଳିତ ବର୍ଷ ଜୁନ୍ ପର୍ୟ୍ୟନ୍ତ ନିଜ ଦାୟିତ୍ୱ ତୁଲାଇବେ।