କ୍ରିକେଟ୍ ମଇଦାନରେ ପୁଣି ଚର୍ଚ୍ଚାକୁ ଆସିଛି ସେହୱାଗ ପରିବାର। ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଅଣ୍ଡର-୧୯ ଏସିଆ କପ୍ରେ ନିଜର ଦମଦାର ବ୍ୟାଟିଂ ବଳରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ୟୁଏଇ ବିପକ୍ଷ ମ୍ୟାଚ୍ରେ ତାଙ୍କର ବ୍ୟାଟ୍ରୁ ଦେଖିବାକୁ ମିଳିଥିଲା ରନ୍ର ବର୍ଷା। ଆର୍ଯ୍ୟବୀର ମାତ୍ର ୧୬୮ଟି ବଲ୍ର ସାମ୍ନା କରି ୧୬୦ ରନ୍ର ଏକ ଚମତ୍କାର ଇନିଂସ୍ ଖେଳିଥିଲେ। ଏହି ପାଳିରେ ସେ ୧୭ଟି ଚୌକା ଓ ୭ଟି ଛକା ମାରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ।

ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିବା ଆର୍ଯ୍ୟବୀର ପରେ ନିଜ ଖେଳର ଗତି ବଢ଼ାଇଥିଲେ। ତାଙ୍କର ଧୈର୍ଯ୍ୟ ଓ ଆକ୍ରମଣାତ୍ମକ ବ୍ୟାଟିଂର ସୁନ୍ଦର ସମନ୍ୱୟ ଏହି ବଡ଼ ସ୍କୋରରେ ପ୍ରତିଫଳିତ ହୋଇଥିଲା। ବିଶେଷ କରି ବାଉଣ୍ଡରୀ ଓ ଛକା ମାଧ୍ୟମରେ ସେ ୟୁଏଇ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଏହି ଇନିଂସ୍ ସହ ଆର୍ଯ୍ୟବୀର ଅଣ୍ଡର-୧୯ ଏସିଆ କପ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳିଙ୍କ ଟପ୍-୧୦ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି।
![]()
ବାପା ବୀରେନ୍ଦ୍ର ସେହୱାଗ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପରିଚିତ। ଏବେ ପୁଅ ଆର୍ଯ୍ୟବୀର ମଧ୍ୟ ନିଜର ପ୍ରତିଭା ଓ ପ୍ରଦର୍ଶନ ଜରିଆରେ କ୍ରିକେଟ୍ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛନ୍ତି। ତାଙ୍କର ଏହି ରେକର୍ଡଭରା ଇନିଂସ୍ ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ପାଇଁ ଏକ ଆଶା ସୃଷ୍ଟି କରିଛି।