ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ବିଜୟ ଲକ୍ଷ୍ୟରେ ଭାରତ, ଆଜିଠୁ ଆରମ୍ଭ ଅଭିଯାନ

ନ୍ୟୁଜିଲାଣ୍ଡ ମାଟିରେ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଭାରତୀୟ ପୁରୁଷ ଫୁଟ୍‌ବଲ୍‌ ଦଳ। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳ ସୋମବାର ମଧ୍ୟରାତ୍ରରେ ଅକ୍‌ଲାଣ୍ଡରେ ପହଞ୍ଚିଛି। ଏହି ଗସ୍ତରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ ଭାରତ। ଉଭୟ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ ସହ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ବ୍ଲୁ ଟାଇଗର୍ସ।

ନ୍ୟୁଜିଲାଣ୍ଡରେ ପହଞ୍ଚିବା ପରେ ମଙ୍ଗଳବାର ସକାଳୁ ହାଲୁକା ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ ଖେଳାଳି। ସନ୍ଧ୍ୟାରେ ନର୍ଥ ହାର୍ବର ଷ୍ଟାଡିୟମ୍‌ରେ ଦଳ ଅଭ୍ୟାସ କରିଥିବା ବେଳେ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ଗୋ ମିଡିଆ ଷ୍ଟାଡିୟମ୍‌ରେ ମଧ୍ୟ ଅଭ୍ୟାସ କରିବ। ନୂଆ ପରିବେଶ ଓ ପାଣିପାଗ ସହ ଖାପ ଖୁଆଇବା ସହ ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଖେଳାଳି।

ନଭେମ୍ବର ୧୨ ତାରିଖ ଗୁରୁବାର ଅକ୍‌ଲାଣ୍ଡରେ ଖେଳାଯିବ ପ୍ରଥମ ମୁକାବିଲା। ଏହାପରେ ନଭେମ୍ବର ୧୩ରେ ଖ୍ରୀଷ୍ଟଚର୍ଚ୍ଚ ଅଭିମୁଖେ ଯାତ୍ରା କରିବ ଭାରତୀୟ ଦଳ। ସେଠାରେ ନଭେମ୍ବର ୧୫ ତାରିଖରେ ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପୂର୍ବ ରେକର୍ଡ ମଧ୍ୟ ଦଳ ପାଇଁ ଏଥର ଚ୍ୟାଲେଞ୍ଜ ହେବ। ୨୦୧୮ରେ ମୁମ୍ବାଇରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଉଭୟ ଦଳ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍‌ରେ ଭାରତ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ୧୯୮୧ରେ ମାଲେସିଆରେ ଆୟୋଜିତ ମାର୍ଡେକା ପ୍ରତିଯୋଗିତାରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା।

ଦୀର୍ଘ ୮ ବର୍ଷ ପରେ ପୁଣିଥରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ। ପୂର୍ବ ପରାଜୟର ଜବାବ ଦେବା ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ବିଜୟ ହାସଲ କରିବା ଦଳର ମୁଖ୍ୟ ଲକ୍ଷ୍ୟ। ଏହି ଗସ୍ତରେ ବ୍ଲୁ ଟାଇଗର୍ସ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ଏବେ ଫୁଟ୍‌ବଲ୍‌ ପ୍ରେମୀଙ୍କ ନଜର।