ସାମାନ୍ୟ ବଚସା ନେଲା ଉଗ୍ର ରୂପ । ରୋଷେଇ କରିବା ଓ ଘର କାମ ଦାୟିତ୍ୱକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଜୋରଦାର ଝଗଡ଼ା। ଶେଷରେ ରାଗରେ ରୋଷେଇ ଘରୁ ଛୁରୀ ଆଣି ସ୍ୱାମୀଙ୍କ ଛାତିରେ ଭୁସିଦେଲା ସ୍ତ୍ରୀ। ଗୁଜରାଟର ଅହମ୍ମଦାବାଦରୁ ଘଟିଛି ଏଭଳି ଛାତିଥରା ଘଟଣା।
ମୃତକ ହେଉଛନ୍ତି ଦିଲୀପ ଖରାଡ଼ି। ସେ ଭାରତୀୟ ସେନାରେ କାମ କରି ଅବସର ନେବା ପରେ ଡ୍ରାଇଭର ଭାବେ କାମ କରୁଥିଲେ। ନାରୋଡା ସ୍ମାର୍ଟ ସିଟି ଅଞ୍ଚଳରେ ପତ୍ନୀ ନିର୍ମଳା ଓ ଦୁଇ ପିଲାଙ୍କ ସହ ରହୁଥିଲେ।

ସୂଚନା ଅନୁସାରେ, ନଭେମ୍ବର ୬ ତାରିଖ ରାତିରେ ରୋଷେଇ ଓ ଘରୋଇ ଦାୟିତ୍ୱକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ନିର୍ମଳା ରୋଷେଇ ଘରୁ ଛୁରୀ ଆଣି ଦିଲୀପଙ୍କ ବାମ ଛାତିରେ ଭୁଷି ଦେଇଥିଲେ ।
ଛୁରୀଟି ହୃତପିଣ୍ଡ ଉପର ଭାଗରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ।
ଆକ୍ରମଣ ପରେ ନିଜେ ପତ୍ନୀ ନିର୍ମଳା ସ୍ୱାମୀଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଦିଲୀପଙ୍କ ବାପା ନାରୋଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ ନିର୍ମଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।