କଂଗ୍ରେସ ପାର୍ଟିକୁ ମିଳୁଥିବା ଚାନ୍ଦାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦଳକୁ ୨୦ ହଜାର ଟଙ୍କାରୁ ଅଧିକ ଦାନ ଆକାରରେ ମୋଟ ୧୩୦.୬୯ କୋଟି ଟଙ୍କା ମିଳିଛି। ଯାହା ପୂର୍ବ ଆର୍ଥିକ ବର୍ଷ ୨୦୨୪-୨୫ରେ ମିଳିଥିବା ୫୧୭.୩୯ କୋଟି ଟଙ୍କା ତୁଳନାରେ ପ୍ରାୟ ୭୫ ପ୍ରତିଶତ କମ୍। ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦାଖଲ କରିଥିବା ଚାନ୍ଦା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

କଂଗ୍ରେସକୁ ମିଳୁଥିବା ଚାନ୍ଦା ହ୍ରାସର ଏକ ପ୍ରମୁଖ କାରଣ ହେଉଛି ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟର ଅବଦାନ କମିବା। ୨୦୨୪-୨୫ରେ ଏହି ଟ୍ରଷ୍ଟ କଂଗ୍ରେସକୁ ୨୧୬.୩୪ କୋଟି ଟଙ୍କା ଦେଇଥିବା ବେଳେ ୨୦୨୫-୨୬ରେ ମାତ୍ର ୨୫ କୋଟି ଟଙ୍କା ଦେଇଛି। ଅର୍ଥାତ୍ ଏହି ଟ୍ରଷ୍ଟରୁ ମିଳୁଥିବା ଚାନ୍ଦାରେ ପ୍ରାୟ ୮୮ ପ୍ରତିଶତ ହ୍ରାସ ହୋଇଛି।

କଂଗ୍ରେସକୁ ଚାନ୍ଦା ଦେଇଥିବା ପ୍ରମୁଖ ଦାତାଙ୍କ ମଧ୍ୟରେ ରହିଛନ୍ତି ଷ୍ଟାର୍ ସିମେଣ୍ଟ, ଯାହା ୫ କୋଟି ଟଙ୍କା ଦେଇଛି। ସେହିପରି ସଜ୍ଜନ ଭଜଙ୍କା ୪ କୋଟି, ଅଫନାନ୍ କନଷ୍ଟ୍ରକ୍ସନ୍ସ ୩ କୋଟି, ପ୍ରେମ କୁମାର ଭଜଙ୍କା ୨ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହ ଇପ୍ସମ୍ ପ୍ରୋଆଡଭାଇଜର୍ସ ଓ ଏସ୍ଏମ୍ଏସ୍ ବିଲ୍ଡର୍ସ ଗୋଟିଏ ଲେଖାଏଁ କୋଟି ଟଙ୍କା ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଗୋଟିଏ କୋଟି କିମ୍ବା ତାଠାରୁ ଅଧିକ ଟଙ୍କା ଦେଇଥିବା ୯ ଜଣ ବ୍ୟକ୍ତି ଓ କମ୍ପାନୀଙ୍କଠାରୁ ଦଳକୁ ମୋଟ ୪୩ କୋଟି ଟଙ୍କା ମିଳିଛି। କେବଳ ବଡ଼ ଦାତା ନୁହନ୍ତି, ଛୋଟ ଦାତାଙ୍କଠାରୁ ମଧ୍ୟ କଂଗ୍ରେସ ଚାନ୍ଦା ପାଇଛି। ୫ ଲକ୍ଷ ଟଙ୍କା କିମ୍ବା ତାଠାରୁ କମ୍ ରାଶି ଦେଇଥିବା ୧୩୨୧ଟି ଅବଦାନରୁ ଦଳକୁ ମୋଟ ୩୭.୨ କୋଟି ଟଙ୍କା ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା। ଏହାସହ ୨୦୨୬ରେ ହେବାକୁ ଥିବା ଅନ୍ୟ ରାଜ୍ୟର ନିର୍ବାଚନ ପାଇଁ ମଧ୍ୟ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଥିଲେ। ଏହା ସତ୍ତ୍ୱେ କଂଗ୍ରେସର ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦାରେ ବଡ଼ ହ୍ରାସ ଘଟିଛି।
ତେବେ ଏହି ରିପୋର୍ଟରେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦାର ହିସାବ ରହିଛି। ଛୋଟ ଦାନ, ସଦସ୍ୟତା ଶୁଳ୍କ, କୁପନ୍ ବିକ୍ରି ଓ ଅନ୍ୟାନ୍ୟ ଆୟକୁ ମିଶାଇ ଦଳର ମୋଟ ଆୟ କେତେ, ତାହା ଜାଣିବା ପାଇଁ ୨୦୨୫-୨୬ର ଅଡିଟ୍ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି।