ଆଜି ମାଣ୍ଡିଆ ଦିବସ ପାଳିତ ହୋଇଛି।ମୟୂରଭଞ୍ଜ ଜିଲ୍ଲା କୃଷି ବିଭାଗ ପକ୍ଷରୁ ବାରିପଦା ର ପ୍ରୟାସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାଣ୍ଡିଆ ର ଉପଯୋଗିତା ଏବଂ ଵହୁଳ ବ୍ୟବହାର ଆମ ପାଇଁ ଵେଶ ଉପାଦେୟ। ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ଚାଷୀମାନଙ୍କୁ ସରକାରୀ ପ୍ରୋତ୍ସାହନ ସହଯୋଗରେ ଗତ ୨୦୧୭ ମସିହାରୁ କେତେକ ଅଞ୍ଚଳରେ ମାଣ୍ଡିଆ ଚାଷ ପାଇଁ ଉତ୍ସାହିତ କରାଯାଉଛି।

ଆଜି ତାର ସୁଫଳ ଲୋକେ ପାଉଛନ୍ତି। ଚଳିତ ବର୍ଷ ମଧ୍ୟ ସରକାର ଶ୍ରୀ ଅନ୍ନ ଯୋଜନା ରେ ଜିଲ୍ଲାର ୧୬ଟି ବ୍ଲକ ରେ ଖରିଫ ଋତୁରେ ୧୦ ହଜାର ହେକ୍ଟର ମାଣ୍ଡିଆ ଚାଷ କରାଯାଇଥିବା ବେଳେ ରଵି ପାଇଁ ୫ ହଜାର ହେକ୍ଟର ର ଯୋଜନା ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗ୍ୟାନବଲ୍ଲଭ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ଚାଷ ମୟୂରଭଞ୍ଜ ଜିଲ୍ଲାର ଚାଷୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଥିବାରୁ ଚାଷୀମାନେ କିପରି ଏହାର ଅଧିକ ସୁଫଳ ପାଇପାରିବେ ସେଥିପାଇଁ ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଜିଲ୍ଲାର କୃଷି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲାର ମାଣ୍ଡିଆ ଚାଷ ଏବଂ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରି ସଫଳତା ହାସଲ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ପ୍ରୟାସ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଥିବା ମାଣ୍ଡିଆ ଷ୍ଟଲ୍ ଵୁଲି ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ମାଣ୍ଡିଆ ଚାଷୀ ଏବଂ କୃଷି ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।