ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା। ହାମଷ୍ଟ୍ରିଙ୍ଗ୍ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏହି ସିରିଜ୍ରୁ ବାଦ୍ ପଡ଼ିବା ନିଶ୍ଚିତ ହୋଇଛି। ନଭେମ୍ବର ୪ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରସିଦ୍ଧଙ୍କ ବଦଳରେ ଜମ୍ମୁ-କାଶ୍ମୀରର ଦ୍ରୁତ ବୋଲର ଆକିବ୍ ନବୀଙ୍କୁ ଦଳରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳି ସେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି।

ସେପଟେ, ପ୍ରସିଦ୍ଧଙ୍କ ଫିଟ୍ନେସ୍ ଯାଞ୍ଚ ପାଇଁ ନଭେମ୍ବର ୧ ଓ ୨ ତାରିଖରେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ମ୍ୟାଚ୍ ସିମୁଲେସନ୍ ଓ ଫିଟ୍ନେସ୍ ଟେଷ୍ଟ କରାଯିବ। ଆଗାମୀ ଟେଷ୍ଟ ମ୍ୟାଚ୍କୁ ଦୃଷ୍ଟିରେ ରଖି ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଉଛି ଟିମ୍ ମ୍ୟାନେଜମେଣ୍ଟ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ ସମୟରେ ଆହତ ହୋଇଥିବା ପ୍ରସିଦ୍ଧ ଏବେ ଫିଟ୍ନେସ୍ ଫେରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
