ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ଗଛରେ ପିଟି ହେଲା ମିନି ବସ୍। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଛତିଶଗଡ଼ର ଏମସିବି ଜିଲ୍ଲାର ପାହାଡ଼ ହାନସୱାହିରେ ଏହି ଦୁର୍ଘଟଣା ଘଟିଛି।
ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସମସ୍ତ ୬ ଜଣ ମୃତକଙ୍କ ପରିଚୟ ମିଳି ନଥିଲେ ହେଁ ଏମାନଙ୍କ ମଧ୍ୟରେ ବସ୍ର ମାଲିକ ରହିଥିବା କୁହାଯାଉଛି।
ବସ୍ଟି ମହେନ୍ଦ୍ରଗଡ଼ରୁ ଯାତ୍ରୀଙ୍କୁ ନେଇ କେଲହରି ଅଭିମୁଖେ ଯାଉଥିବା ବେଳେ ଏପରି ଘଟଣା ଘଟିଛି। ମିନି ବସ୍ର କ୍ଷମତା ୩୦ ରହିଥିବା ବେଳେ ଏଥିରେ ଏହା ଠାରୁ ଯଥେଷ୍ଟ ଅଧିକ ଲୋକ ରହିଥିଲେ ବୋଲି ଜଣାପଡ଼ିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ମିନି ବସ୍ର ବେଗ ଯଥେଷ୍ଟ ଅଧିକ ଥିଲା। ବେଗ ଅଧିକ ଥିବା ଅବସ୍ଥାରେ ହିଁ ଗୋଟିଏ ବାଙ୍କ ବୁଲିବାକୁ ଚେଷ୍ଟା କରିଥିଲେ ଡ୍ରାଇଭର। କିନ୍ତୁ ବାଙ୍କ ବୁଲିବା ବେଳେ ହଠାତ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହି ସମୟରେ ଗାଡ଼ିର ବ୍ରେକ ମଧ୍ୟ କାମ କରି ନଥିଲା।