ଯୋଡା ଟ୍ରକ୍ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୧ ଓ ୨ ତାରିଖ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ତେବେ ଚଳିତ ଯୋଡା ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ମନୋନୟନ ପତ୍ର ଦାଖଲର ପ୍ରଥମ ଦିଵସରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ଦିବସରେ ସାଧାରଣ ସମ୍ପାଦକ ପଦବୀ ପାଇଁ ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ବାରିକ ନାମାଙ୍କନ ଦାଖଲ କରିଥିବା ବେଳେ ପୂର୍ବତନ ସଂଘ ସଭାପତି ମାତା ପ୍ରସାଦ ଜୟସ୍ୱାଲ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଉପ ସଭାପତି ପଦବୀ ପାଇଁ ବିଜୟ ଆପଟ୍ଟ, ଯୁଗ୍ମ ସମ୍ପାଦକ ନିମନ୍ତେ ଅଶୋକ କାରୁଆ ଓ କୋଷାଧ୍ୟକ୍ଷ ପାଇଁ ଲକ୍ଷ୍ମଣ ବାରିକ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଯୋଡା ଧରଣୀଧର ଛକ ଠାରୁ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା ପରେ ଯୋଡା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜର ପ୍ରାର୍ଥୀ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ଚିନ୍ମୟ ବାରିକଙ୍କ ନିକଟରେ ଦାଖଲ କରିଥିଲେ। ୫ ତାରିଖ ଦିନ ମନୋନୟନ ପତ୍ରର ପରୀକ୍ଷଣ କରାଯିବ, ୬ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ । ଅକ୍ଟୋବର ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ପରମେଶ୍ୱର ଭୁକ୍ତ, ନରେଶ ପାତ୍ର, ତୁଳସୀରାମ ମହାନ୍ତ, ରଞ୍ଜିତ କୁମାର ବାରିକ, ସଞ୍ଜୟ ଲୋହାର, ସୌରଜିତ୍ ସେଠୀ ଓ ଦୁର୍ଗା ପ୍ରସାଦ ପାତ୍ର ପରିଚାଳନା କରୁଛନ୍ତି ।