ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଚିକେନ୍ ଦୋକାନୀଙ୍କ ମୃତ୍ୟୁ, ପୁଅ ଗୁରୁତର ଆହତ

ଭୁବନେଶ୍ୱର: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜେନା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ । ଘଟଣାରେ ଜଣେ ଚିକେନ୍ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଆନ୍ଦୀଆ ପଞ୍ଚାୟତର ଜେନା ସାହିରେ ଗଣେଶ ବିସର୍ଜନ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଚିକେନ୍ ଦୋକାନୀ ଲକ୍ଷ୍ମୀଧର ଜେନା ଏବଂ ତାଙ୍କ ପୁଅ ପର୍ଶୁରାମ ଜେନାଙ୍କ ଉପରେ କାଚ ବୋତଲ ଓ ଧାରୁଆ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଗୁରୁତର ଆହତ ହୋଇଛନ୍ତି। ପର୍ଶୁରାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥିତ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଜଣାପଡ଼ିଛି ଯେ, ଲକ୍ଷ୍ମୀଧର ଜେନାଙ୍କର ପୂର୍ବରୁ କିଛି ସ୍ଥାନୀୟ ଲୋକଙ୍କ ସହ ବିବାଦ ରହିଥିଲା। ଆକ୍ରମଣ ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଅଧିକ ବିବରଣୀ ଏବଂ ଆହୁରି ଗିରଫଦାରୀକୁ ଅପେକ୍ଷା କରାଯାଇଛି।