୨୦୩୫ ସୁଦ୍ଧା ବଜାର କୁ ଆସିବ ‘ କୋର୍ଲିଓ ‘
ପାହାଡିଆ ରାସ୍ତା ରେ ଚାଲିବ ରୋବଟିକ ଘୋଡା
ହାଇଡ୍ରୋଜେନ ରେ ଚାଲିବ ରୋବଟିକ ଘୋଡା
ଆଜିର ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା ଯେତିକି ଆଗେଇ ଚାଲିଛି, ମେସିନ୍ଗୁଡ଼ିକର ରୂପରେଖ ସେତିକି ନିଆରା ହେବାରେ ଲାଗିଛି। ପ୍ରଥମେ ରୋବଟିକ କୁକୁର ଦେଖିବାକୁ ମିଳିଥିବା ବେଳେ ଏବେ କାୱାସାକି ଏହାର ନୂତନ ରୋବୋଟିକ୍ ଘୋଡ଼ା ‘କୋର୍ଲିଓ’ ଉପରେ କାମ ଜୋରଦାର କରିଛି। ଚାରିଟିଗୋଡ଼ ଥିବା ଏହି ରୋବୋଟ୍ଟି ପାହାଡ଼ିଆ, ଖାଲଖମା ଓ ଜଙ୍ଗଲିଆ କଠିନ ରାସ୍ତାରେ ମଧ୍ୟ ସହଜ ରେ ଚାଲିପାରିବ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପେଟ୍ରୋଲ କିମ୍ବା ଡିଜେଲ ରେ ନୁହେଁ ବରଂ ସମ୍ପୂର୍ଣ ପରିବେଶ ଅନୁକୂଳ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ! ଏଥିରେ ୧୫୦ ସିସିର ହାଇଡ୍ରୋଜେନ୍ ଇଞ୍ଜିନ୍ ରହିବ, ଯାହା ବିଦ୍ୟୁତ୍ ଉତ୍ପାଦନ କରି ଏହାର ଗୋଡ଼ଗୁଡ଼ିକୁ ସଚଳ ରଖିବ । ଏପରିକି ଗୋଟିଏ ହାଇଡ୍ରୋଜେନ୍ ଟାଙ୍କି ସରିଗଲେ ଅନ୍ୟ ଏକ ଟାଙ୍କି ସହଜରେ ବଦଳାଯାଇପାରିବ । ଆଡଭାନ୍ସଡ୍ ବାଲାନ୍ସିଂ ସିଷ୍ଟମ୍ ଯୋଗୁଁ ରାସ୍ତାରେ ଯେତେ ଝଟକା ଥିଲେ ବି ଆରୋହୀଙ୍କୁ କୌଣସି ଅସୁବିଧା ହେବନାହିଁ । କାୱାସାକି ୨୦୨୫ ଓସାକା ଏକ୍ସପୋରେ ଏହାର ପ୍ରଥମ ନମୁନା ପ୍ରଦର୍ଶିତ କରିଥିଲା । କମ୍ପାନୀର ଯୋଜନା ଅନୁଯାୟୀ, ୨୦୩୦ ରେ ସାଉଦି ଆରବର ରିୟାଦ୍ରେ ହେବାକୁ ଥିବା ଏକ୍ସପୋରେ ‘କୋର୍ଲିଓ’କୁ ଯାତାୟାତ ପାଇଁ ବ୍ୟବହାର କରାଯିବ ଏବଂ ୨୦୩୫ ସୁଦ୍ଧା ଏହା ବ୍ୟବସାୟିକ ଭାବେ ବଜାରକୁ ଆସିବ ବୋଲି ଜଣାପଡିଛି ।