ଚେନ୍ନାଇ ସେଣ୍ଟ୍ରାଲ୍-ନୂଆଦିଲ୍ଲୀ ତାମିଲନାଡୁ ଏକ୍ସପ୍ରେସ୍ ‘ର ଏକ ସୁଟକେସ୍ରୁ ଅଗଷ୍ଟ ୬ ତାରିଖରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଓ ଅନେକ ଖଣ୍ଡରେ କଟାଯାଇଥିବା ମୃତଦେହ ମିଳିଥିଲା। ଏକ ସାଧାରଣ ବଗିର (ଜେନେରାଲ୍ କୋଚ୍) ରଖାଯାଇଥିବା ଏକ ନାଲି ରଙ୍ଗର ସୁଟକେସ୍ରୁ ଦୁର୍ଗନ୍ଧ ବାହାରୁଥିବା କିଛି ଯାତ୍ରୀ ଲକ୍ଷ୍ୟ କରିଥିଲେ । ଏବଂ ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆଗ୍ରା ରେଳବାଇ ପୋଲିସ୍ ସେହି ସୁଟକେସ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା।

ମୃତଦେହ ମିଳିବାର ୧୫ ଦିନରୁ ଅଧିକ ସମୟ ପରେ, ପୋଲିସ ମୃତ ମହିଳାଙ୍କ ପରିଚୟ ‘ହାଇଦୁଲ ନିଶା’ ଭାବେ ଚିହ୍ନଟ କରିଛି। ସେ ତାମିଲନାଡୁର ପରମାକୁଡ଼ି ଅଞ୍ଚଳର ବାସିନ୍ଦା ଥିଲେ। ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ସମ୍ପୃକ୍ତ ମହିଳାଙ୍କୁ ଏକ ଭଡ଼ା ଘରେ ହତ୍ୟା କରାଯାଇଥାଇପାରେ। ସୁଟକେସ୍ର ଗତିବିଧି ଏବଂ ସନ୍ଦିଗ୍ଧ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଆଗ୍ରା ରେଳବାଇ ପୋଲିସ୍, ତାମିଲନାଡୁ ପୋଲିସ୍ର ସହାୟତାରେ ୨୦୦ରୁ ଅଧିକ ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିଛି।
ଖବର ଅନୁଯାୟୀ, ଏହି ଫୁଟେଜରେ ଜଣେ ପୁରୁଷ ଓ ଜଣେ ମହିଳା ସୁଟକେସ୍ ଧରି ଚେନ୍ନାଇ ସେଣ୍ଟ୍ରାଲ୍ ଠାରେ ଟ୍ରେନରେ ଚଢ଼ୁଥିବାର ଦେଖିବାକୁ ମିଳିଥିଲା। ତଦନ୍ତ ବେଳେ ପୋଲିସ ସେହି ସୁଟକେସ୍ର ଲିଙ୍କ୍ ଖୋଜି ଗୁଡୁଭାନଚେରୀର ମସଜିଦ୍ ଷ୍ଟ୍ରିଟ୍ରେ ଥିବା ଏକ ଭଡ଼ା ଘର ପର୍ଯ୍ୟନ୍ତ ପହଞ୍ଚିଥିଲା। ଘରଟି ବନ୍ଦ ଥିବାରୁ ପୋଲିସ ପଡ଼ୋଶୀମାନଙ୍କୁ ପଚରାଉଚରା କରିଥିଲା । ସେମାନେ ଜଣାଇଥିଲେ ଯେ ଓଡ଼ିଶାର ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ସେଠାରେ ରହୁଥିଲେ।

ପୋଲିସ୍ ସନ୍ଦିଗ୍ଧମାନଙ୍କୁ ମାଣିକ ଉଦ୍ଦିନ୍ ଲସ୍କର ଏବଂ ଭାଗବତୀ ମାଝୀ ଭାବେ ଚିହ୍ନଟ କରିଛି । ଯେଉଁମାନେ ଓଡ଼ିଶାର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ମୋବାଇଲ୍ ଫୋନ୍ ଟ୍ରାକିଂରୁ ଜଣାପଡ଼ିଛି ଯେ ଘଟଣା ପରେ ସନ୍ଦିଗ୍ଧମାନେ ତାମିଲନାଡୁ ଛାଡ଼ି ଓଡ଼ିଶା ପଳାଇ ଆସିଥିଲେ। ସେମାନଙ୍କୁ ଠାବ କରିବା ଓ ଗିରଫ କରିବା ପାଇଁ ତାମିଲନାଡୁ ପୋଲିସର ଏକ ସ୍ୱତନ୍ତ୍ର ଦଳ ବର୍ତ୍ତମାନ ଓଡ଼ିଶାରେ ପହଞ୍ଚିଛି। ଏହି କଥିତ ହତ୍ୟାକାଣ୍ଡ ପଛର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।