ଭୁବନେଶ୍ୱରରେ ଜାତୀୟ ସାମୁଦ୍ରିକ ସୁରକ୍ଷା ବୈଠକ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଏହି ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ ଓଡ଼ିଶାରେ ଆୟୋଜିତ ହୋଇଛି। ବୈଠକକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତି ଏବଂ ସମୃଦ୍ଧିର ପ୍ରବେଶ ପଥ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ଦେଶର ସାମୁଦ୍ରିକ ସମ୍ପଦ, ବନ୍ଦର, ମତ୍ସ୍ୟ ସମ୍ପଦ ଓ ବ୍ଲୁ ଇକୋନୋମିର ସୁରକ୍ଷା ଆର୍ଥିକ ବିକାଶ ଓ ଉପକୂଳବାସୀଙ୍କ ଜୀବିକା ପାଇଁ ଅତ୍ୟନ୍ତ ଜରୁରୀ। ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ମଧ୍ୟ ସମନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ସେ କହିଥିଲେ।

ଓଡ଼ିଶାର ୫୭୫ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳ ଏବଂ ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ପରମ୍ପରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ଗଭୀର ସମୁଦ୍ର ବନ୍ଦର ଓ ପାରାଦୀପ ନିକଟରେ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ ନେଇ ସୂଚନା ଦେଇଥିଲେ। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ AI, ଅନ୍‌ମ୍ୟାନ୍‌ଡ ସିଷ୍ଟମ ଓ ଆଧୁନିକ ମନିଟରିଂ ବ୍ୟବସ୍ଥାର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମୁଦ୍ରିକ ସୁରକ୍ଷା ପାଇଁ ସମନ୍ୱିତ ରଣନୀତିର ଆବଶ୍ୟକତା ଉପରେ ମତ ରଖିଥିଲେ। ବୈଠକରେ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟର ଅଧିକାରୀ, ସୁରକ୍ଷା ଏଜେନ୍ସି ଏବଂ କେନ୍ଦ୍ର-ରାଜ୍ୟ ସରକାରର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।